Categories: ଫୁରସତ

୧୪ ବର୍ଷ ପରେ ମିଳିଲା ହଜିଲା ପର୍ସ

ମୁମ୍ବାଇ: ଅନେକ ସମୟରେ ଆମର ବିଭିନ୍ନ ଜିନିଷ ହଜି ଯାଇଥାଏ। ପୋଲିସରେ ଅଭିଯୋଗ କଲେ ବି କିଛି ଜିନିଷ ମିଳିବା ନେଇ ଆଶା ନ ଥାଏ। କିନ୍ତୁ ଚୋରି ହେବାର ୧୪ ବର୍ଷ ପରେ ଜଣେ ବ୍ୟକ୍ତି ତାଙ୍କର ହଜିଲା ପର୍ସ ଫେରି ପାଇଛନ୍ତି।
ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍‌ ଅଞ୍ଚଳରେ ହେମନ୍ତ ପଦଲକର ନାମକ ଜଣେ ବ୍ୟକ୍ତି ଟ୍ରେନରେ ଯାତ୍ରା କରିବା ସମୟରେ ତାଙ୍କର ଏକ ପର୍ସ ଚୋରି ହୋଇଯାଇଥିଲା, ଯାହାକୁ ସେ ଏବେ ଫେରି ପାଇଛନ୍ତି। ୨୦୦୬ ମସିହାରେ ହେମନ୍ତଙ୍କର ପର୍ସ ଚୋରି ହୋଇଥିଲା ଏବଂ ସେ ରେଲୱେ ପୋଲିସ ପାଖରେ ଅଭିଯୋଗ କରିଥିଲେ। ସେବେଠାରୁ ତାଙ୍କର ପର୍ସ ନେଇ କୌଣସି ସୂଚନା ନ ଥିଲା। ତେଣୁ ପର୍ସ ପୁଣି ଥରେ ମିଳିବ ଏ କଥାକୁ ସେ ଭୁଲି ଯାଇଥିଲେ। କିନ୍ତୁ ଏବେ ହଠାତ୍‌ ସେ ଜିଆର୍‌ପି ଅଫିସରୁ ଏକ ଫୋନ୍‌ ପାଇଥିଲେ ଯେ, ତାଙ୍କର ହଜିଥିବା ପର୍ସଟି ମିଳିଛି ଏବଂ ସେଥିରେ ଥିବା ୯୦୦ ଟଙ୍କା ମଧ୍ୟ ସୁରକ୍ଷିତ ରହିଛି। ହେମନ୍ତ ପୋଲିସ ପାଖରୁ ଏହି ପର୍ସ ଆଣିଛନ୍ତି, କିନ୍ତୁ ଏଥିରେ ସେ ସମୟର ଏକ ୫୦୦ ଟଙ୍କିଆ ନୋଟ୍‌ ମଧ୍ୟ ଥିଲା, ଯାହା ବିମୁଦ୍ରୀକରଣ ସମୟରୁ ଅଚଳ ହୋଇଯାଇଛି। ତେଣୁ ବାକି ୪୦୦ ଟଙ୍କାରୁ ୧୦୦ ଟଙ୍କା ବିଭିନ୍ନ ଷ୍ଟାମ୍ପ ପେପର କାମ ପାଇଁ କାଟି ୩୦୦ ଟଙ୍କା ଫେରାଇଛି। ବାକି ୫୦୦ ଟଙ୍କାକୁ ବଦଳାଇବା ପରେ ଫେରାଇବାକୁ ପୋଲିସ କହିଛି। ତେବେ ପୋଲିସର କହିବା ଅନୁସାରେ କିଛିଦିନ ତଳେ ଜିଆରପି ପକ୍ଷରୁ ଏକ ଚୋରକୁ ଗିରଫ କରିବା ପରେ ତା’ ଠାରୁ ବିଭିନ୍ନ ସାମଗ୍ରୀ ମିଳିଥିଲା, ଯେଉଁଥିରେ ହେମନ୍ତଙ୍କର ପର୍ସ ମଧ୍ୟ ଥିଲା। ତେଣୁ ତାଙ୍କୁ ସୂଚନା ଦେଇ ପର୍ସ ଫେରାଇ ଦିଆଯାଇଛି।

Share