ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା, ଆଫ୍ରିକାରେ ୫ ଜଣଙ୍କ ମୃତ୍ୟୁ…

ଜେନେଭା,୨୧।୭ : ମଙ୍କିପକ୍ସ୍‌ ନେଇ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ, ପୃଥିବୀରେ ୧୪ ହଜାର ମଙ୍କିପକ୍ସ୍‌ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଏନେଇ ସୂଚନା ଦେଇଛନ୍ତି।

ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏନେଇ ଗଠିତ କମିଟିର ଦ୍ୱିତୀୟ ବୈଠକ ଡକାଇବ। ବୈଠକରେ ଏହା ଅନ୍ତର୍ଜାତୀୟ ଚିନ୍ତାର ବିଷୟ ହେବ କି ନାହିଁ ତାହା ସ୍ଥିର କରାଯିବ।

ଜୁଲାଇ ୧୫ ସୁଦ୍ଧା ସମଗ୍ର ପୃଥିବରୀରେ ମଙ୍କିପକ୍ସ ସଂକ୍ରମଣର ୧୧,୬୩୪ ମାମଲା ଚିହ୍ନଟ ହୋଇଥିଲା। ଗୁରୁବାର ଏହି ସଂଖ୍ୟା ୧୪ ହଜାରରେ ପହଞ୍ଚିଛି। ଗତ ଚାରି ଦିନ ମଧ୍ୟରେ ପ୍ରାୟ ଅଢ଼େଇ ହଜାର ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ, କାନାଡା ଏବଂ ଆମେରିକାରେ ମଙ୍କିପକ୍ସ ସଂକ୍ରମଣର ସର୍ବାଧିକ ସଂଖ୍ୟକ ରିପୋର୍ଟ ହୋଇଛି। ଏଥି ସହିତ ବର୍ତ୍ତମାନ ପୃଥିବୀର ୭୫ରୁ ଅଧିକ ଦେଶରେ ମଙ୍କିପକ୍ସ ସଂକ୍ରମଣ ହୋଇଛି।

Share