ହଷ୍ଟେଲ ଛାଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ୧୪ ଛାତ୍ର

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ବଡରାଇସିଂ ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଛାତ୍ରମାନେ ରାତି ତମାମ ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡିଛି। ବିଦ୍ୟାଳୟ ଏବଂ ହଷ୍ଟେଲରେ ଅବ୍ୟବସ୍ଥା ପ୍ରତିବାଦରେ ହଷ୍ଟେଲ ଛାଡ଼ିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲାରେ ମହାବଳ ବାଘ ଏବଂ ହାତୀପଲ ଉତ୍ପାତ ମଚାଇଥିବା ବେଳେ ୧୪ଜଣ ଛାତ୍ର ଜଙ୍ଗଲ ଭିତରେ ଚାଲିଚାଲି ଆସିଥିଲେ। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ଘଟଣାରୁ ପ୍ରକାଶ ଯେ, ବଡରାଇସିଂ ଆଶ୍ରମରେ ୨୪୦ଜଣ ଛାତ୍ରୀଛାତ୍ର ହଷ୍ଟେଲରେ ରହୁଛନ୍ତି। ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା ସେମାନେ କହିଛନ୍ତି। ଜିଲାପାଳ ଆସିବା ପରେ ସମସ୍ତ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।

ଛାତ୍ରମାନେ କହିଛନ୍ତି ଯେ, ହଷ୍ଟେଲରେ ଖାଇବା ପାଇଁ ଠିକ୍‌ ଭାବେ ଦିଆଯାଉ ନାହିଁ। ଖାଇବା ପାଇଁ ମାଗିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ ମାଡ ମାରିବା ସହିତ ବିଦ୍ୟାଳୟରୁ ତଡି ଦେବାର ଭୟ ଦେଖାଉଥିବା ଅଭିଯୋଗ ହୋଇଛି। ଏପରିକି ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାମଗ୍ରୀ ପ୍ରଦାନ କରାଯାଉଛି ତାହା ହଡ଼ପ ହେଉଛି। କହିଲେ କେହି ଶୁଣିବାକୁ ନାହାନ୍ତି।

ପୂର୍ବରୁ ପ୍ରଧାନଶିକ୍ଷକ ବିଶାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ରାୟଗଡ଼ା ସହର ଉପକଣ୍ଠ କଲାଗୁଡାସ୍ଥିତ ଅନ୍ବେସା ହଷ୍ଟେଲରେ ସମାନ ଅଭିଯୋଗ ଆସିଥିଲା। ହଷ୍ଟେଲର ଛାତ୍ରୀଛାତ୍ର ଜିଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ତାପରେ ବିଶାମିତ୍ର ସୁନାଙ୍କୁ ଜିଲାପାଳ ହଟେଇ ଥିଲେ। ଆଉ ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି। ଏହି ସମ୍ପର୍କରେ ପ୍ରଧାନଶିକ୍ଷକ ବିଶାମିତ୍ର ସୁନା କହିଛନ୍ତି ଖାଇବା ପାଇଁ ପିଲାମାନଙ୍କୁ ଠିକ୍‌ ଭାବରେ ପ୍ରଦାନ ହେଉଛି। ପିଲାମାନେ ହଷ୍ଟେଲ ଫାଟକ ଡେଇଁ ଆସିଛନ୍ତି।ତବେ ମାଡ଼ ମରାଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।