Categories: ଜାତୀୟ

୧୪ ବିରୋଧୀ ଦଳ ଆବେଦନର ଶୁଣାଣି ୫ରେ

ନୂଆଦିଲ୍ଲୀ, ୨୫ା୩(ପି.ଟି.): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗକୁ ନେଇ ୧୪ଟି ବିରୋଧୀ ଦଳ ପକ୍ଷରୁ ଦାଏର ପିଟିଶନର ଶୁଣାଣି ଏପ୍ରିଲ ୫ରେ କରିବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଇବା ଲାଗି କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ବ୍ୟବହାର କରୁଥିବା ପିଟିଶନରେ ଅଭିଯୋଗ କରାଯାଇଥିଲା। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନର ଶୁଣାଣିର ଶୁଣାଣି ଏପ୍ରିଲ ୫କୁ ଧାର୍ଯ୍ୟ କରିଛନ୍ତି। ଗିରଫ ଏବଂ ରିମାଣ୍ଡ ଘଟଣାରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ଅଦାଲତଗୁଡ଼ିକ ପାଇଁ ସୁପ୍ରିମକୋର୍ଟ ଗାଇଡ୍‌ଲାଇନ ଆଣନ୍ତୁ ବୋଲି ପିଟିଶନରେ ନିବେଦନ କରାଯାଇଛି। କଂଗ୍ରେସ ନେତୃତ୍ୱରେ ପିଟିଶନ ଦାଏର କରିଥିବା ଅନ୍ୟ ଦଳଗୁଡ଼ିକ ହେଲେ ଡିଏମ୍‌କେ, ଆର୍‌ଜେଡି, ଭାରତ ରାଷ୍ଟ୍ର ସମିତି, ତୃଣମୂଳ କଂଗ୍ରେସ, ଏନ୍‌ସିପି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜେଡିୟୁ, ସିପିଆଇ(ଏମ୍‌), ସିପିଆଇ, ସମାଜବାଦୀ ପାର୍ଟି, ନ୍ୟାଶନାଲ କନ୍‌ଫରେନ୍ସ। ସିବିଆଇ ଏବଂ ଇଡି ମାମଲାର ୯୫ ପ୍ରତିଶତ ବିରୋଧୀ ନେତାମାନଙ୍କ ବିରୋଧରେ ବୋଲି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି। ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ସିବିଆଇ ଏବଂ ଇଡି ମାମଲା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ସେ ଦର୍ଶାଇଛନ୍ତି।

Share