Categories: ଜାତୀୟ

ଉଦ୍ଧବଙ୍କୁ ଝଟକା: ଶିନ୍ଦେ ଗୋଷ୍ଠୀଙ୍କ ବୈଠକରେ ଅନ୍‌ଲାଇନ୍‌ରେ ସାମିଲ ହେଲେ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୧୮।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ହାତରୁ ଶାସନ କ୍ଷମତା ହରାଇଥିବା ବେଳେ ବର୍ତ୍ତମାନ ଦଳକୁ ବଞ୍ଚାଇବା ପାଇଁ ସେ ସଂଗ୍ରାମ ଚଳାଇଛନ୍ତି। ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶିବସେନାର କେତେକ ଏମ୍‌ପି ଏବେ ଶିନ୍ଦେଙ୍କ ସମର୍ଥନରେ ରହିଛନ୍ତି। ଅନ୍ୟପଟେ ଏକନାଥ ଶିିନ୍ଦେ ଗୋଷ୍ଠୀ ଶିବସେନାର ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ଏକନାଥଙ୍କ ଦଳ ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ବରଖାସ୍ତ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଶିବସେନାର ମୁଖ୍ୟ ନେତା ଭାବେ ମନୋନୀତ କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ଶିବସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ପଦ ଚୟନ ହୋଇନାହିଁ। ତେବେ ଦଳର ମୁଖପାତ୍ର ଭାବେ ବିଧାୟକ ଦୀପକ କେସରକରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଶିବସେନା ନେତା ଭାବେ ରାମଦାସ କଦମ ଏବଂ ଆନନ୍ଦ ରାଓ ଅଡସୁଲ ନିଯୁକ୍ତ ହୋଇଛନ୍ତି। ଶିବସେନାର ଉପନେତା ଭାବେ ଯଶୱନ୍ତ ଯାଦବ ଗୁଲାବ ରାଓ ପାଟିଲ, ଉଦୟ ସାମନ୍ତ, ଶରଦ ପଙ୍କସେ, ତାନାଜୀ ସାୱନ୍ତ, ବିନୟ ନାହଟା, ଶିବାଜିରାଓ ପାଟିଲ ମନୋନୀତ ହୋଇଛନ୍ତି। ସୂଚନା ମୁତାବକ, ସୋମବାର ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଶିବସେନା ଶିନ୍ଦେ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିବସେନାର ୧୩-୧୪ ବିଦ୍ରୋହୀ ଏମ୍‌ପି ଅନ୍‌ଲାଇନ୍‌ରେ ଉପସ୍ଥିତ ଥିଲେ। ଅନ୍ୟପଟେ ସୋମବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଚାଲିଥିବା ବେଳେ ଶିବସେନା ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପୂର୍ବରୁ ଘୋଷଣା କରିସାରିଛି। ଏଭଳି ପରିସ୍ଥିତିରେ, ଏହି ଖବର ଉଦ୍ଧବ ଠାକ୍‌ରେଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଶିବସେନାର ୫୫ ବିଧାୟକ ଦୁଇଟି ଦଳରେ ବାଣ୍ଟି ହୋଇଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେଙ୍କ ନେତୃତ୍ୱକୁ ୪୦ଜଣ ବିଧାୟକଙ୍କ ସମର୍ଥନ ଥିବା ବେଳେ ୧୫ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ରହିଛନ୍ତି। ଏଥିସହ ବର୍ତ୍ତମାନ ୧୩-୧୪ଏମ୍‌ପି ତାଙ୍କ ସମର୍ଥନରେ ରହିଛନ୍ତି ବୋଲି ଶିନ୍ଦେ ଦଳ ଦାବି କରିଛି।

Share