Categories: ରାଜ୍ୟ

ରାଜ୍ୟ ପୋଲିସର ୧୪ ଡିଏସ୍‌ପିଙ୍କୁ ବଦଳି

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ରାଜ୍ୟ ପୋଲିସର ୧୪ ଜଣ ଡିଏସ୍‌ପିଙ୍କୁ ବଦଳି କରାଯାଇଛି। ଏ ନେଇ ବୁଧବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମସ୍ତ ପୋଲିସ ଅଫିସରଙ୍କୁ ନିକଟରେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ରାଜ୍ୟ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଏହି ବଦଳି ହୋଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ପୋଲିସ ସେବା(ଓପିଏସ୍‌) ଅଫିସର ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ କଟକସ୍ଥିତ ଏଚ୍‌ଆର୍‌ପିସି ଡିଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଓପିଏସ୍‌ ଅଫିସର ରଜନୀକାନ୍ତ ମଲ୍ଲିକଙ୍କୁ କଟକସ୍ଥିତ ଏଚ୍‌ଆରପିସି ଡିଏସ୍‌ପି ଭାବେ ବଦଳି କରାଯାଇଛି। ତେବେ ତାଙ୍କୁ ଡେପୁଟେଶନରେ ନୟାଗଡ଼ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଯାଇଛି। ସେହିପରି ପ୍ରଫୁଲ୍ଲ କୁମାର ସିଂଙ୍କୁ କଟକସ୍ଥିତ ରାଜ୍ୟ ଏଚ୍‌ଆରପିସି ଡିଏସ୍‌ପି ଓ ଆଲୋକ କୁମାର ଜେନାଙ୍କୁ କେନ୍ଦୁଝର ମୁଖ୍ୟାଳୟ ଡିଏସ୍‌ପି ଭାବେ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ନିକଟରେ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ସେହିପରି ଭୁବନେଶ୍ୱର ଇଓଡବ୍ଲ୍ୟୁ ଡିଏସ୍‌ପି ସ୍ନିଗ୍ଧା ଭଞ୍ଜଙ୍କୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ଡିଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ କେନ୍ଦୁଝର ମୁଖ୍ୟାଳୟ ଡିଏସ୍‌ପି ଜୟଶ୍ରୀ ପ୍ରଧାନଙ୍କୁ ଭିଜିଲାନ୍ସ ଡିଏସ୍‌ପି, ସ୍ମୃତିରଞ୍ଜନ କରଙ୍କୁ କଟକସ୍ଥିତ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ନିରଞ୍ଜନ ଶବରଙ୍କୁ ପୁରୀ ମୁଖ୍ୟାଳୟ ଡିଏସ୍‌ପି, ତାରଜସ୍ମିନ ଗୁରିଆଙ୍କୁ ପୁରୀ ଆଇୟୁସିଏଡ୍ଲ୍ୟୁ ଡିଏସ୍‌ପି, ସଚିନ ପଟେଲଙ୍କୁ ମାଲକାନଗିରି ଏସ୍‌ଡିପିଓ, ମାନବ୍ରତ ଶତପଥୀଙ୍କୁ କୋରାପୁଟ ପିସିଆର ସେଲ୍‌ ଡିଏସ୍‌ପି, ରେଣୁକା ସୁନାଙ୍କୁ ସୋନପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, କୁମାରୀ ଜିସାଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଏବଂ ଅଜୟ କୁମାର ଦାସଙ୍କୁ କଳାହାଣ୍ଡି ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଭାବେ ବଦଳି କରାଯାଇଛି।