ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ ରାତିରୁ ସହରରେ ୧୪ ଦିନ ପାଇଁ କିଛି ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ସାଧାରଣ ସଭା ଏବଂ ଭିଡ଼ ଜମାଇବା ଉପରେ ରୋକ ଲଗାଯାଇଛି।
ତେବେ ପୁଣେର ପୋଲିସ କମିଶନର ଅମିତେଶ କୁମାର ସ୍ପଷ୍ଟ କରିଛନ୍ତି ଯେ ସହରରେ କୌଣସି ’ଲକ୍ଡାଉନ’ ଲଗାଯାଇ ନାହିଁ। କେବଳ ପାର୍ୱଣ ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ଏହି ସମୟ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ, ରାଲି, ମାର୍ଚ୍ଚ ଏବଂ ସାଧାରଣ ସଭା ପାଇଁ ଅନୁମତି ମିଳିବ ନାହିଁ। ନିୟମ ଉଲ୍ଲଂଘନ କାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।
କେଉଁ ସବୁ କଟକଣା ଲାଗୁ କରାଯାଇଛି?
* ସାଧାରଣ ସ୍ଥାନରେ ଏକାଠି ହେବା ଉପରେ କଟକଣା
* ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ
* ମାର୍ଚ୍ଚ ଏବଂ ରାଲି କରିବା ମନା
* ସାଧାରଣ ବୈଠକ କିମ୍ୱା ସେହିଭଳି କୌଣସି ଜନସମାବେଶ ଆୟୋଜନ କରିବା ନିଷେଧ
* ଜଳନଶୀଳ କିମ୍ୱା ବିସ୍ଫୋରକ ସାମଗ୍ରୀ ପରିବହନ ଉପରେ ରୋକ
* ହିଂସା ପାଇଁ ବ୍ୟବହୃତ ହୋଇପାରୁଥିବା ପଥର, ଅସ୍ତ୍ରଶସ୍ତ୍ର କିମ୍ୱା ବାଡି, ଖଣ୍ଡା, ବନ୍ଧୁକ ଆଦି ସାଙ୍ଗରେ ରଖିବା କିମ୍ୱା ନେବା ଆଣିବା କରିବା ସମ୍ପୂର୍ଣ୍ଣ ମନା।
* କୌଣସି ବ୍ୟକ୍ତି ବା ନେତାଙ୍କ ଫଟୋ, ପୁତ୍ତଳିକା ପ୍ରଦର୍ଶନ କରିବା କିମ୍ୱା ଦାହ କରିବା ନିଷେଧ
* ଆପତ୍ତିଜନକ ସ୍ଲୋଗାନ ଦେବା କିମ୍ୱା ଉତ୍ତେଜନାମୂଳକ ଭାଷଣ ଦେବା ମନା
* ଶାନ୍ତିଭଙ୍ଗ କରୁଥିବା ଭଳି କୌଣସି ଅଶ୍ଳୀଳ ଗୀତ ଗାଇବା କିମ୍ୱା ବାଦ୍ୟଯନ୍ତ୍ର ବଜାଇବା ଉପରେ କଟକଣା
* ଅଶାଳୀନ କିମ୍ୱା ସାଧାରଣ ସଦାଚାର ବିରୋଧୀ ସାଇନ ବୋର୍ଡ, ପ୍ଲାକାର୍ଡ କିମ୍ୱା ଚିତ୍ର ପ୍ରଦର୍ଶନ କରିବା ମନା।
* ସାଧାରଣ ନୈତିକତା କିମ୍ୱା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଭାଷଣ ବା ସାମଗ୍ରୀ ପ୍ରସାରଣ ଉପରେ ରୋକ
ପୁଣେ ପୋଲିସ ଜନସାଧାରଣଙ୍କୁ ଏହି ୧୪ ଦିନ ମଧ୍ୟରେ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ନିବେଦନ କରିଛି।
‘ଦି ଇକୋନୋମିକ୍ସ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, କଟକଣା ସହିତ ପୁଣେ ମ୍ୟୁନିସିପାଲ କର୍ପୋରେସନ (PMC) ନିଜର ବିଭିନ୍ନ ବିଭାଗ ପାଇଁ ଇନ୍ଧନ (ଫ୍ୟୁଲ) ବଞ୍ଚାଇବା ଅଭିଯାନ ଆରମ୍ଭ କରିଛି। ଇନ୍ଧନର ବଢୁଥିବା ଦର ଏବଂ ଗାଡ଼ି ଖର୍ଚ୍ଚ ଯୋଗୁଁ ପୌରପାଳିକାର ଆର୍ଥିକ ସ୍ଥିତି ଉପରେ ଚାପ ପଡୁଛି। ସରକାରୀ ଗାଡ଼ିର ଅତ୍ୟଧିକ ବ୍ୟବହାର ଯୋଗୁଁ ଏହି ଖର୍ଚ୍ଚ ବଢୁଥିବା ଦେଖି, କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଗାଡ଼ି ବ୍ୟବହାର କରିବାକୁ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅଫିସିଆଲ କାର୍ଯ୍ୟରେ ଯାତ୍ରା ଏବଂ ଇନ୍ଧନ ଖର୍ଚ୍ଚ କମାଇବା ପାଇଁ PMC କଠୋର ନିର୍ଦ୍ଦେଶାବଳୀ ଜାରି କରିଛି:
* ସରକାରୀ ଗସ୍ତ ସମୟରେ ଯଥାସମ୍ଭବ କମ ଗାଡ଼ି ବ୍ୟବହାର କରନ୍ତୁ।
* ଅଫିସ ଆସିବା ଯିବା ପାଇଁ ବସ, ରେଳ ଏବଂ ଅନ୍ୟାନ୍ୟ ସାଧାରଣ ପରିବହନ (ପବ୍ଲିକ ଟ୍ରାନ୍ସପୋର୍ଟ) କୁ ପ୍ରାଥମିକତା ଦିଅନ୍ତୁ।
* ଏକାଠି ଗସ୍ତ ସମୟରେ ‘କାର୍ପୁଲିଂ’ (ଏକାଠି ଗାଡ଼ି ସେୟାର୍ କରିବା) ବିକଳ୍ପ ବାଛନ୍ତୁ।
* ସପ୍ତାହରେ ଅତି କମରେ ଥରେ ପୁଣେ ମେଟ୍ରୋ, ସ୍ଥାନୀୟ ଟ୍ରେନ କିମ୍ୱା ସରକାରୀ ବସରେ ଯାତ୍ରା କରନ୍ତୁ।
* ଯଥାସମ୍ଭବ ବୈଠକ, ସେମିନାର୍ ଏବଂ ଟ୍ରେନିଂ ସେସନ ଗୁଡ଼ିକୁ ଅନଲାଇନ ମାଧ୍ୟମରେ କରନ୍ତୁ।