Categories: ଜାତୀୟ

ଦିନ ମଜୁରିଆଙ୍କୁ ୧୪ କୋଟିର ଆୟକର ନୋଟିସ

ପାଟନା,୨୨।୧୨: ଦିନକୁ ୪୦୦ ଟଙ୍କା ଆୟ କରୁଥିବା ଜଣେ ଶ୍ରମିକଙ୍କୁ କମ୍ପାନୀ ଚଳାଉଥିବା ଦର୍ଶାଇ ୧୪ କୋଟି ଟଙ୍କାର ଆୟକର ନୋଟିସ ଆସିଛି। ବିହାରର ରୋହତସ ଜିଲାର ଏହି ଘଟଣା ତାଙ୍କ ପାଖ ପଡ଼ୋଶୀଙ୍କୁ ଆଚମ୍ବିତ କରିଦେଇଛି। କାରଘର ଥାନା ଅଞ୍ଚଳର ମନୋଜ ଯାଦବଙ୍କ ଘରେ ସୋମବାର ଆୟକର ବିଭାଗର ଏକ ଟିମ୍‌ ପହଞ୍ଚିଥିଲା। ଆଇଟି ଅଧିକାରୀମାନେ ମନୋଜ ଏକ କମ୍ପାନୀ ଚଳାଉଥିବା ଏବଂ ତାଙ୍କ ଉପରେ ୧୪ କୋଟି ଟଙ୍କାର ଆୟକର ରିଟର୍ନ ବକେୟା ଥିବା ଦର୍ଶାଇ ନୋଟିସ ଧରାଇ ଦେଇଥିଲେ। ଅଧିକାରୀମାନଙ୍କ ମତରେ ମନୋଜଙ୍କ ନାମରେ ଥିବା ବ୍ୟାଙ୍କ ଖାତା ଜରିଆରେ ଉକ୍ତ କମ୍ପାନୀର ଅନେକ କୋଟି ଟଙ୍କା କାରବାର ହୋଇଥିଲା। ମନୋଜ କହିଥିଲେ, ସେ ଜଣେ ଶ୍ରମିକ ହୋଇଥିବାରୁ ତାଙ୍କ ସବୁ ସମ୍ପତ୍ତି ବିକିଲେ ବି ୧୪ କୋଟି ଟଙ୍କା ପୈଠ କରିପାରିବେ ନାହିଁ। ଖୋଳତାଡ଼ ପରେ ପ୍ରକୃତ କଥା ସାମ୍ନାକୁ ଆସିଛି।

ମନୋଜ ପୂର୍ବରୁ ଦିଲ୍ଲୀ, ହରିୟାଣା ଓ ପଞ୍ଜାବର କେତୋଟି ଘରୋଇ କମ୍ପାନୀରେ କାମ କରୁଥିଲେ। ୨୦୨୦ରେ କୋଭିଡ୍‌ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଲକ୍‌ଡାଉନ୍‌ ବେଳେ ସେ ନିଜ ଘର ବିହାରକୁ ଫେରିଆସିଥିଲେ। ମନୋଜ କହିଛନ୍ତି, ସେ ପୂର୍ବରୁ ନିଯୁକ୍ତିବେଳେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର, ପ୍ୟାନ୍‌ କାର୍ଡ ଆଦି ଦସ୍ତାବିଜ ଦାଖଲ କରିଥିଲେ। କମ୍ପାନୀଗୁଡ଼ିକ ସେସବୁକୁ ଜାଲିଆତି କରି ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ୍‌ ଖୋଲିବା ସହ ଏଭଳି କାରସାଦି କରିଥିବା ମନୋଜ ଅଧିକାରୀମାନଙ୍କୁ କହିଥିଲେ।

Share