୧୩୯ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ପଟ୍ଟାମୁଣ୍ଡାଇ,୨୮ା୧୦(କଳ୍ପତରୁ ନାୟକ): ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ତ୍ୱାବଧାନରେ ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ପରିଚାଳିତ ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ପାଠପଢାର ମୂଳଦୁଆ ପଡୁଥିବା କୁହାଯାଉଛି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ପଦାରେ ପଡ଼ିଛି। ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠାରେ ସ୍କୁଲ ଘରେ ତ ଅନ୍ୟ କେଉଁଠି ଭଡ଼ାଘର ଓ ଗୋଷ୍ଠୀକେନ୍ଦ୍ରରେ ପାଠ ପଢ଼ୁଛନ୍ତି। ଯୋଜନା ପ୍ରଣୟନକୁ ୪୮ବର୍ଷ ବିତିଯାଇଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ବ୍ଲକର ୩୧ ପଞ୍ଚାୟତ ଓ ପୌରାଞ୍ଚଳର ୨୦ଟି ୱାର୍ଡରେ ସମୁଦାୟ ୨୭୮ ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୧୩୯ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୬୯ କେନ୍ଦ୍ରରେ ଗୃହ ନିର୍ମାଣାଧୀନ ଅବସ୍ଥାରେ ରହିଥିବା ବେଳେ ୭୦ ନିର୍ମାଣ ହୋଇନାହିଁ। ପଟ୍ଟାମୁଣ୍ଡାଇର ୩୧ ପଞ୍ଚାୟତରେ ୨୩୭ଟି କେନ୍ଦ୍ର ମଧ୍ୟରୁ ୧୩୫ ନିଜସ୍ବ ଘରେ ଚାଲିଥିବା ବେଳେ ୬୨ଟି ସ୍କୁଲଘରେ ଛାଲିଛି। ସେହିପରି ୧୩ଟି ଘର ଭଡାରେ ଚାଲିଥିବା ବେଳେ ୨୭ଟି କମ୍ୟୁନିଟି ସେଣ୍ଟରରେ ଚାଲିଛି। ପଟ୍ଟାମୁଣ୍ଡାଇ ବ୍ଲକରେ ୬୨ଟି ନିର୍ମାଣାଧୀନ କେନ୍ଦ୍ର ମଧ୍ୟରୁ କେତେଗୋଟି ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ହସ୍ତାନ୍ତର କରାଯାଇନାହିଁ। ଫଳରେ ଗୃହ ବ୍ୟବହାର ନ ହେବା, ନିମ୍ନମାନର କାର୍ଯ୍ୟ ଯୋଗୁ ଗୃହ କାନ୍ଥ ଓ ଚଟାଣ ଫାଟିବା ସହ ନଷ୍ଟ ହେବାକୁ ବସିଲାଣି ବୋଲି ସାଧାରଣରେ ଅଭିଯୋଗ ହେଉଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨୦ଟି ୱାର୍ଡରେ ୪୧ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୪ଟି ନିଜସ୍ବ ଘରେ ଚାଲିଥିବା ବେଳେ ୮ଟି କେନ୍ଦ୍ର ଭଡ଼ାଘରେ ଚାଲିଛି। ଅନ୍ୟ ୨୧ଟି ସ୍କୁଲ ଘରେ ଓ ୮ଟି କମ୍ୟୁନିଟି କେନ୍ଦ୍ରରେ ଚାଲିଛି। ୭ଟି ଘର ନିର୍ମାଣାଧୀନ ଅଛି। ସେଥିମଧ୍ୟରୁ କେତେଗୋଟି ଅଙ୍ଗନୱାଡି ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବଧି ହସ୍ତାନ୍ତର କରାଯାଇନାହିଁ। ଏ ସମ୍ପର୍କରେ ସିଡିପିଓ ମନୋରମା ସ୍ବାଇଁଙ୍କୁ ପଚାରିବାରେ ୨୭୮ କେନ୍ଦ୍ର ମଧ୍ୟରୁ ୧୩୯ ଅଙ୍ଗନୱାଡି କେନ୍ଦ୍ର ନିଜସ୍ବ ଘରେ ଚାଲିଛି ବୋଲି ସେ କହିଛନ୍ତି। ଅନ୍ୟ ୧୩୯ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ଅଣ୍ଡା, ଚାଉଳ, ରାଶନ ସହ ଅନ୍ୟ ସାମଗ୍ରୀକୁ କର୍ମୀମାନେ ଏଣେତେଣେ ରଖିବା ଦ୍ୱାରା ବାଟମାରଣା ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି।