ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ ଅପ୍ରେଣ୍ଟିସ୍‌ଶିପ୍‌-କମ୍‌-ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର ବିଜନେସ୍‌ ମ୍ୟାନେଜମେଣ୍ଟ ବିଭାଗ ଏହାର ସଂଯୋଜନା କରିଥିଲା।
ମେଳାରେ ଜୟପୁର, କୋରାପୁଟ, ନବରଙ୍ଗପୁର, ସେମିଳିଗୁଡ଼ା, ଦାମନଯୋଡ଼ି, ଉମରକୋଟ, ରାଇଘର, ଭବାନୀପାଟଣା ଓ ବ୍ରହ୍ମପୁର ଅଞ୍ଚଳରୁ ପ୍ରାୟ ୨୦୦ ଜଣ ପ୍ରାର୍ଥୀ ଯୋଗଦେଇଥିଲେ। ସେଥିରୁ ୧୩୭ ଜଣଙ୍କୁ ବିଭିନ୍ନ ଅପ୍ରେଣ୍ଟିସଶିପ୍‌ ଓ ନିଯୁକ୍ତି ସୁଯୋଗ ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ନାଲ୍‌କୋ, ହାଲ, ଆଇଏମ୍‌ଏଫ୍‌ଏ, ସେଲ୍‌ ରାଉରକେଲା, ଅନ୍ନପୂର୍ଣ୍ଣା ଫାଇନାନ୍ସ, ଏସ୍‌ଏଲ୍‌ଭି ସକ୍ୟୁରିଟିଜ ସମେତ ବିଭିନ୍ନ ସଂସ୍ଥା ମେଳାରେ ଅଂଶଗ୍ରହଣ କରିଥିଲେ।
ସିୟୁଓ କୁଳପତି ପ୍ରଫେସର ଡ. ଅଜିତ କୁମାର ଶାସନୀ ଏହି ପଦକ୍ଷେପକୁ ସ୍ବାଗତ କରିବା ସହ କୋରାପୁଟ ଓ ଆଖପାଖ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଦୋହରାଇଥିଲେ। ହାଲ୍‌ର ଚିଫ୍‌ ମ୍ୟାନେଜର ବସନ୍ତ କୁମାର ନାଏକଙ୍କ ସମେତ ବୋର୍ଡ ଅଫ୍‌ ପ୍ରାକ୍ଟିକାଲ ଟ୍ରେନିଂର ସୁସ୍ମିତା ଘୋଷ, ଜିଲା ଦକ୍ଷତା ବିକାଶ-ସହ-ନିଯୁକ୍ତି ଅଧିକାରୀ ଉପେନ୍ଦ୍ର ଦୀପ ଓ ବିଭାଗୀୟ ମୁଖ୍ୟ ଡ. ମିନତୀ ସାହୁ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share