ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ଘରଭଙ୍ଗା ସହାୟତା ବାବଦରେ ଦୁଇଥର ୯୫ହଜାର ଲେଖାଏ ଟଙ୍କା ତହସିଲ ଅଫିସ ପକ୍ଷରୁ ପଠାଯାଇଛି। ହିତାଧିକାରୀ ଜଣକ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ତହସିଲ ପକ୍ଷରୁ ଯୋଗାଯୋଗ କରାଯିବାରୁ ସ୍ତ୍ରୀଙ୍କ ଚିକିତ୍ସା ବାବଦରେ ଉକ୍ତ ଟଙ୍କା ଖର୍ଚ୍ଚ କରିଦେଇଥିବା ସମ୍ପୃକ୍ତ ହିତାଧିକାରୀ କହିଥିଲେ। ଏହାକୁ ନେଇ ତହସିଲ ପ୍ରଶାସନ ଅଡୁଆରେ ପଡ଼ିଛି। ହାତଗୁଞ୍ଜା ନେଇ ଜଣଙ୍କ ଆକାଉଣ୍ଟକୁ ଦୁଇ ଥର ଟଙ୍କା ପଠାଯାଇଥିବା ଲୋକେ ଚର୍ଚ୍ଚା କରୁଥିବାବେଳେ ତହସିଲ ପ୍ରଶାସନ ପକ୍ଷରୁ ଭୁଲବଶତଃ ଏଭଳି ହୋଇଥିବା କୁହାଯାଇଛି। ତେବେ ଏହିସବୁ କଥା ଭିତରେ ଆଉ ଏକ ପ୍ରସଙ୍ଗ ଘଟଣାଟିକୁ ଅଧିକ ବିବାଦୀୟ କରିଛି। ତାହା ହେଉଛି ଫନୀ ଘର ଭଙ୍ଗା ବାବଦରେ ଆରଆଇମାନେ ଯେଉଁ କ୍ଷେତ୍ର ତଦନ୍ତ ରିପୋର୍ଟ ପଠାଇଥିଲେ, ସେ ସବୁକୁ ତହସିଲ ଅଫିସରେ ବଦଳା ଯାଇ ଏଭଳି ବେଆଇନ କାମ କରାଯାଉଛି। ଫଳରେ ଫନୀରେ ସର୍ବସ୍ବାନ୍ତ ହୋଇଥିବା ଲୋକେ ମୁଣ୍ଡରେ ହାତଦେଇ ବସିଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ଫାଇଦା ଉଠାଇଛନ୍ତି। ଉଦାହରଣ ଭାବେ ଜଣଙ୍କ ଆକାଉଣ୍ଟକୁ ଅଯାଚିତ ଭାବେ ଦୁଇଥର ଟଙ୍କା ପଠାଇବା ଘଟଣାରୁ ଏହା ପ୍ରମାଣିତ ହୋଇଛି। ମାହାଙ୍ଗା ତହସିଲର ଭାରପ୍ରାପ୍ତ ତହସିଲଦାର ଦିଲ୍ଲୀପ ନାୟକ କୁହନ୍ତି, ଯେଉଁ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଯାଇଛି, ତାଙ୍କୁ ଫେରାଇ ଦେବା ପାଇଁ କୁହାଯାଇଛି। ଯଦି ସେ ଏହି ଅର୍ଥ ଫେରସ୍ତ ନ କରନ୍ତି ତେବେ ଏଥିରେ ଯେଉଁ କର୍ମଚାରୀ ସମ୍ପୃକ୍ତ ଥିବେ ସେ ଉତ୍ତରଦାୟୀ ରହିବେ ବୋଲି ସେ କହିଛନ୍ତି।