ସିରିଆରେ ପେଟ୍ରୋଲ ଦାମ୍‌ରେ ୧୩୦ ପ୍ରତିଶତ ବୃଦ୍ଧି, ଲୋକେ ହସ୍ତସନ୍ତ…

ଦାମାସକସ୍‌, ୮।୮ : ଗତ ୧୧ ବର୍ଷଧରି ଯୁଦ୍ଧ ସଙ୍କଟ ଗ୍ରସ୍ତ ହୋଇଥିବା ସିରିଆରେ ଏବେ ଲୋକଙ୍କ ଉପରେ ସରକାର ପୁଣି ଏକ ବୋଝ ଲଦି ଦେଇଛନ୍ତି। ରାଷ୍ଟ୍ରପତି ବସାର ଅଲ ଅସାଦ ସରକାର ପେଟ୍ରୋଲର ମୂଲ୍ୟ ପ୍ରାୟ ୧୩୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଏପପି ଅନୁଯାୟୀ, ସରକାରୀ ସାନା ନ୍ୟୁଜ ଏଜେନ୍ସି ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଅସାଦ ସରକାର ଏହି ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ଏଣିକି ଏକ ଲିଟର ସବସିଡିଯୁକ୍ତ ପେଟ୍ରୋଲର ମୂଲ୍ୟ ୧,୧୦୦ ରୁ ୨,୫୦୦ ସିରିଆ ପାଉଣ୍ଡକୁ ବୃଦ୍ଧି ପାଇବ।

ଏଥିସହିତ ବିନା ସବସିଡିଯୁକ୍ତ ପେଟ୍ରୋଲର ମୂଲ୍ୟ ୩,୫୦୦ ରୁ ୪,୦୦୦ ସିରିଆ ପାଉଣ୍ଡକୁ ବୃଦ୍ଧି ପାଇଛି। ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଉଥିବା ସିରିଆ ପାଉଣ୍ଡ ଏକ ଚିନ୍ତାର କାରଣ ପାଲଟିଛି। ଲଗାତାର ତୃତୀୟ ଥର ପାଇଁ ପେଟ୍ରୋଲ ଦର ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏକ ଡଲାର କିଣିବା ପାଇଁ ସରକାରଙ୍କୁ ୨,୮୧୪ ସିରିଆ ପାଉଣ୍ଡ ଦେବାକୁ ପଡିବ। ୟୁକ୍ରେନ-ରୁଷିଆ ଯୁଦ୍ଧ ପରଠାରୁ ଇନ୍ଧନ ମୂଲ୍ୟ ବୃଦ୍ଧି ବହୁ ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି। ଇନ୍ଧନ ଦର ବୃଦ୍ଧି ଯୋଗୁଁ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ସମେତ ଅନେକ ଦେଶ ଏବେ ଅସୁବିଧାରେ ପଡ଼ିଛନ୍ତି।

ନିକଟରେ ହୋଇଥିବା ଆଇଏମଏଫ ରିପୋର୍ଟରେ କୁହାଯାଇଥିଲା ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ଅନେକ ଦେଶକୁ ଅର୍ଥନୈତିକ ସଙ୍କଟରେ ପକାଇପାରେ। ଜାତିସଂଘର ଆକଳନ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସିରିଆରେ ଯୁଦ୍ଧ ଯୋଗୁଁ ଦେଶର ଅର୍ଦ୍ଧେକ ଲୋକ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ୨୦୧୧ରେ ସିରିଆରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଭୌଗୋଳିକ ସୁବିଧାକୁ ଦୃଷ୍ଟିରେ ରଖି ରୁଷିଆ, ତୁର୍କୀ ଏବଂ ଇରାନ ମଧ୍ୟ ପରୋକ୍ଷରେ ଏହି ଯୁଦ୍ଧରେ ଜଡିତ ଅଛନ୍ତି।

Share