Categories: ଜାତୀୟ

ସାଙ୍ଗ ସହ ପ୍ରତିଶୋଧ ନେବା ପାଇଁ ଅପହରଣ ପରେ ହତ୍ୟା

ନୂଆଦିଲ୍ଲୀ,୫।୪: ଏକ ଝଗଡ଼ା ଯୋଗୁ ଜଣେ ୮ ବର୍ଷୀୟ ନାବାଳକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ତାଙ୍କର ୧୩ ବର୍ଷୀୟ ସାଙ୍ଗ। ଏଭଳି ଘଟଣା ଦିଲ୍ଲୀର ରୋହିନି ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଅଟକ ରଖିଛି।

ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କ ମଧ୍ୟରେ କିଛି ଦିନ ତଳେ ବିବାଦ ହୋଇଥିଲା। ସେବେଠାରୁ ଅଭିଯୁକ୍ତ ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲେ। ଶନିବାର ଅପରାହ୍ନରେ ପୀଡ଼ିତ ନିଖୋଜ ହେବା ପରେ ତାଙ୍କ ପରିବାର ବର୍ଗ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅନ୍ତିମ ଥର ସାଙ୍ଗ ସହିତ ଘର ବାହାରେ ଖେଳୁଥିବା ବେଳେ ପୁଅକୁ ଦେଖିଥିଲେ ପରିବାର ଲୋକେ। ପ୍ରାଥମିକ ତଦନ୍ତ ପରେ ପୀଡ଼ିତ ନାବାଳକଙ୍କୁ ପୋଲିସ ଖୋଜି ପାରି ନ ଥିଲା। କିନ୍ତୁ ତାଙ୍କର ୧୩ ବର୍ଷୀୟ ସାଙ୍ଗକୁ ପଚରାଉଚରା କରିବା ପରେ ସାଙ୍ଗକୁ ଜଙ୍ଗଲକୁ ନେଇ ସେ ହତ୍ୟା କରିଥିବା ଜାଣିବାକୁ ପାଇଥିବା ଅଧିକାରୀ କହିଛନ୍ତି।

ଅଭିଯୁକ୍ତ ନାବାଳକ ତାଙ୍କ ସାଙ୍ଗଙ୍କୁ ପଥରରେ ଛେଚି ଛେଚି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। ହତ୍ୟା ପରେ ତାଙ୍କ ଫୋନ ନେଇଯାଇଥିଲେ ବୋଲି ଡିସିପି (ରୋହିନି) ପ୍ରନବ ତାୟାଲ କହିଛନ୍ତି।

ପୀଡ଼ିତଙ୍କ ମୃତଦେହ ଏବଂ ତାଙ୍କ ଫୋନ ସୋହାତି ଗାଁ ପାଖ ଜଙ୍ଗଲରୁ ମିଳିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅପହରଣ ପାଇଁ ମାମଲା ରୁଜୁ କରାଯାଇଛି। ଆମ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ପ୍ରତିଶୋଧ ନେବା ପାଇଁ ନିର୍ଯାତନା ଦେବାକୁ ଯୋଜନା କରିଥିଲେ। କିନ୍ତୁ ନିର୍ଯାତନା ବେଳେ ତାଙ୍କ ମୃତ୍ୟୁ ଘଟିବାରୁ ସେ ଘଟଣାସ୍ଥଳରୁ ଚାଲି ଯାଇଥିଲେ ବୋଲି ସେ କହଛନ୍ତି।

Share