Categories: ଜାତୀୟ

ଅକ୍ସିଜେନ ଅଭାବରୁ ଚାଲିଗଲା ୧୩ କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ : ଜିଲା ଅଧିକାରୀ ମାନିବାକୁ ନାରାଜ

ଚେନ୍ନାଇ,୫।୫ : ଅକ୍ସିଜେନ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବାରୁ ଚେନଗାଲପାଟୁ ସରକାରୀ ହସ୍ପିଟାଲରେ ଚାଲିଯାଇଛି ୧୩ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଜୀବନ। କିନ୍ତୁ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଓ ହସ୍ପିଟାଲ କର୍ତ୍ତୁପକ୍ଷ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କହିଛନ୍ତିି। ତେବେ ହସ୍ପିଟାଲର ଅବହେଳା ଏହି ଘଟଣା ପଛର କାରଣ ବୋଲି କହିଛନ୍ତି ଉକ୍ତ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତର।

ପ୍ରଶାସନିକ ଅବହେଳା ବିରୋଧରେ ଚେନଗାଲପାଟୁ ସରକାରୀ ହସ୍ପିଟାଲର ଡାକ୍ତରମାନେ ବୁଧବାର ସକାଳୁ ବିକ୍ଷୋଭ କରୁଛନ୍ତି। ଅକ୍ସିଜେନ ଅଭାବ ସମ୍ପର୍କରେ ମଙ୍ଗଳବାର ସକାଳେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ଚେତାବନୀ ଦେଇଥିଲୁ। କିନ୍ତୁ ରାତି ସୁଦ୍ଧା ହସ୍ପିଟାଲ ମୁଖ୍ୟ ଓ ବରିଷ୍ଠ ଡାକ୍ତର ଏହାର ସମାଧାନ କରିପାରି ନ ଥିଲେ ବୋଲି ଜଣେ ଡାକ୍ତର ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।

ବିକ୍ଷୋଭକାରୀ ଡାକ୍ତରଙ୍କ ଅନୁଯାୟୀ, ହସ୍ପିଟାଲରେ ଆବଶ୍ୟକ ପରିମାଣର ଅକ୍ସିଜେନ ନ ଥିଲା। ସମସ୍ତ ଅକ୍ସିଜେନ ବେଡ୍‌ରେ କୋଭିଡ୍‌-୧୯ ଆକ୍ରାନ୍ତ ଭର୍ତ୍ତି ଥିଲେ। ହସ୍ପିଟାଲରେ ସାଧାରଣତଃ ପ୍ରତ୍ୟେକ ଦିନ ୨.୩ କିଲୋଲିଟର ଅକ୍ସିଜେନ ଦରକାର ହୁଏ। ମାତ୍ର ମଙ୍ଗଳବାର ଦରକାର ପଡ଼ିଥିଲା ୪.୫ କିଲୋଲିଟର ଅକ୍ସିଜେନ। ହସ୍ପିଟାଲ ଓ ଜିଲା ଅଧିକାରୀ ଏଥି ପ୍ରତି ଅନ୍ତିମ ସମୟ ପର୍ଯ୍ୟନ୍ତ ଧ୍ୟାନ ଦେଇ ନ ଥିଲେ।

Share