କରୋନାକୁ ମାତ୍‌ ଦେଲା ମାଲକାନଗିରିର ୧୩ ମାସର ଶିଶୁ

କୋରୁକୋଣ୍ଡା,୬।୮(ଡି.ଏନ.ଏ.): ମାଲକାନଗିରି ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପରିସ୍ଥଳେ କରୋନାକୁ ହରାଇଛନ୍ତି ୧୩ ମାସର ଜଣେ ଶିଶୁ। ସେ ହେଲେ ଦୀପମ ମଣ୍ଡଳ। ତାଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମରେ।

ଚେନ୍ନାଇରୁ ମା’ଙ୍କ ସହ ଫେରିଥିବା ଶିଶୁ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୨ ସଂଗରୋଧ କେନ୍ଦ୍ରରେ ରହିଥିଲେ। ପରେ ସେମାନେ କରୋନା ପରୀକ୍ଷା କରାଇବା ପରେ ଉଭୟ ମା’ ଏବଂ ଛୁଆ ପଜିଟିଭ୍‌ ଆସିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି କୋଭିଡ୍‌ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେଠାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ମା’ ଏବଂ ଛୁଆ ଉଭୟ ଚିକିତ୍ସିତ ହେଉଥିଲେ। ଦୀର୍ଘ ୧୧ ଦିନ ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେଠାରେ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗା ଯାଉଥିବା କହିଥିଲେ। ତେବେ ବର୍ତ୍ତମାନ ଉଭୟ ମା ଏବଂ ଛୁଆ ସୁସ୍ଥ ଅଛନ୍ତି। ଛୁଆ ଟି ସମ୍ପୂର୍ଣ ଭାବେ ପୂର୍ବ ପରି ଖେଳା ବୁଲା କରି ତାର ସମୟ ଅତିବାହିତ କରୁଛି। ଏହାସହ ସେ ସୁସ୍ଥ ହୋଇ ନିଜ ବାପାଘର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତରଲାକୋଟ ପଞ୍ଚାୟତ ସ୍ଥିତ ଏମ୍‌ଭି୩୭ ଗ୍ରାମ ଚାଲି ଆସିଛନ୍ତି। ତେବେ ଗାୟତ୍ରୀଙ୍କ କହିବା କଥା କି କରୋନା ଯଦି ହୁଏ ତେବେ ତାକୁ ଆମେ ଡରିବା ନାହିଁ କିମ୍ବା ରୋଗକୁ ଲୁଚାଇବା ନାହିଁ। ସଙ୍ଗେ ସଙ୍ଗେ ଯାଇ ନିଜର ପରୀକ୍ଷା କରାଇବା ଉଚିତ। ଏହାସହିତ ସରକାରଙ୍କ ନିୟମ ମାନି ଏହି ସମୟରେ ଆମେ ତାଙ୍କ ସହ ଛିଡା ହୋଇ କରୋନା ସହ ଲଢ଼ିବା ବୋଲି ସେ କହିଛନ୍ତି।