ମହୁମାଛି ଆକ୍ରମଣରେ ୧୩ ଆହତ, ୨ ଗୁରୁତର

ଦେବଗଡ଼,୨୨।୧୦(ଡି.ଏନ.ଏ): ଜଣେ ବ୍ୟକ୍ତିଙ୍କର ମୃତଦେହ ସତ୍କାର କରିବାକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ଦେବଗଡ଼ ପୌରାଞ୍ଚଳ ପତ୍ରାପାଲିସାହିର ୧୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ପତ୍ରାପାଲିସାହିର ଜୟ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ସତ୍କାର ପାଇଁ ଶୁକ୍ରବାର ପୂର୍ବାହ୍ନରେ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ନିକଟସ୍ଥ ଶ୍ମଶାନକୁ ନେଇଥିଲେ। ସେଠାରେ ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନିକଟସ୍ଥ ଏକ ଅର୍ଜୁନ ଗଛରେ ବସା ବାନ୍ଧିଥିବା ମହୁମାଛି ସେମାନଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରୁ ବର୍ତ୍ତିବା ନିମନ୍ତେ କେତେକ ବ୍ୟକ୍ତି ମୃତଦେହ ଛାଡି ସେଠାରୁ ଧାଇଁ ପଳାଇଥିବା ବେଳେ ଆକାଶ ମୁଣ୍ଡା, ଦିଲ୍ଲୀପ ମୁଣ୍ଡା, ରାଜକୁମାର ମୁଣ୍ଡା, ମନ ମୁଣ୍ଡା, ବେଦ ମୁଣ୍ଡା, ଦୟା ମୁଣ୍ଡା, ଅର୍ଜୁନ ମୁଣ୍ଡା, ପଦୁ ମୁଣ୍ଡା, ସତ୍ୟ ମୁଣ୍ଡା, ଦୀପକ ମୁଣ୍ଡା ଓ ସୌଭାଗ୍ୟ ମୁଣ୍ଡା, କୁଞ୍ଜ ମୁଣ୍ଡା ଓ ମନୋହର ମୁଣ୍ଡା ପ୍ରମୁଖ ୧୩ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କୁଞ୍ଜ ମୁଣ୍ଡା (୭୪) ଓ ମନୋହର ମୁଣ୍ଡା (୫୪) ଗୁରୁତର ଆହତ ହୋଇଥିଲେ। ଉପରୋକ୍ତ ୧୩ ଜଣ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ମହୁମାଛି ଶାନ୍ତ ହେବା ପରେ ମୃତ ଜୟଙ୍କ ବନ୍ଧୁ ପରିଜନମାନେ ପୁଣି ଥରେ ଶ୍ମଶାନକୁ ଯାଇ ଜୟଙ୍କର ଅନ୍ତିମ ସତ୍କାର କରିଥିବା ସୂଚନା ମିଳିଛି।