Categories: ଗଞ୍ଜାମ

ମା’ ତାରାଦେବୀଙ୍କ ଯାତ୍ରା ୮ମ ଦିନରେ: ୬ ସାହିରେ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୨୭ା୫-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ରବିବାର ଅଷ୍ଟମ ଦିବସରେ ପହଞ୍ଚିଛି। ଛୁଟିଦିନ ଥିବାରୁ ଅସ୍ଥାୟୀ ପୀଠରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା। ମା’ ଦିନ ତମାମ ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଘଟ ପରିକ୍ରମା ହୋଇଥିଲା। ୬ ସାହିରେ ମା’ଙ୍କ ଘଟ ପରିକ୍ରମା କରିଥିଲା।
ମା’ଙ୍କ ୧୦୮ ଆଳତି ଅନୁଷ୍ଠିତ ହୋଇଥିଲା। ଆଳତି ଦେଖିବାକୁ ଅସ୍ଥାୟୀ ପୀଠ ରଘୁନାଥ ମଠ ସାହିରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
ଏହାପରେ ଅସ୍ଥାୟୀ ପୀଠରୁ ଏକ ବିରାଟ ପଟୁଆରରେ ଘଟ ଶୋଭାଯାତ୍ରା ବାହାରିଥିଲା। ମା’ ତାରାଦେବୀଙ୍କ ବାପା କୁହାଯାଉଥିବା ଦେଶୀବେହେରା କୁନା ସାବତ ମୁଖ୍ୟଘଟକୁ ମୁଣ୍ଡାଇ ଥିବା ବେଳେ ବାଦ୍ୟ, ବାଜଣା, ଢୋଲ, ମହିଳାଙ୍କ ହୁଳହୁଳି ନାଦରେ ଅସ୍ଥାୟୀ ପୀଠ ଦୁଲୁକିଥିଲା। ଶୋଭାଯାତ୍ରାରେ ଘଟ ପ୍ରଥମେ ରାଜା ଭାଗବତ ପ୍ରସାଦ ସିଂ ଦେଓଙ୍କ ବାସଭବନକୁ ଯାଇଥିଲା ା
ସେଠାରେ ପୂଜାର୍ଚ୍ଚନା ପରେ ପୂର୍ବ ଆଡୁଆ ସାହି ଦେଇ ଦକ୍ଷିଣ ରେଡିକା ସାହିକୁ ଯାଇଥିଲା। ସେଠାରୁ ଜଗନ୍ନାଥ ମନ୍ଦିର, ଉଷାକୁଠି ମନ୍ଦିର ଛକ ହୋଇ ଉତ୍ତର ରେଡିକା ସାହି, ଦଣ୍ଡାସି ସାହି ପରିକ୍ରମା କରିଥିଲା।ଏହାପରେ ହାଇସ୍କୁଲ ଛକଠାରୁ ବାପୁଜୀ ନଗର, ତଳ ଦଣ୍ଡାସୀ ସାହି ଦେଇ ପୁଣି ପୂର୍ବ ଆଡୁଆ ସାହି, ବ୍ରହ୍ମଣ ସାହି ହୋଇ ଅସ୍ଥାୟୀ ପୀଠକୁ ମା’ଙ୍କ ଘଟ ଫେରିଥିଲା। ବିଭିନ୍ନ ସାହିରେ ମହିଳାମାନେ ନିଜ ଘର ସମ୍ମୁଖରେ ଜଳକୁମ୍ଭ ରଖିବା ସହ ମୁଖ୍ୟଘଟଧାରୀଙ୍କ ପାଦରେ ହଳଦୀ ଓ କର୍ପୂର ମିଶା ପାଣି ଢାଳି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ହାଲୁଆ ଭୋଗ ବଣ୍ଟନ କରାଯାଇଥିଲା।