Categories: ଜାତୀୟ

ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାରଙ୍କ ଜୀବନ ଯାଇଛି, ଏନ୍‌ସିଆର୍‌ବି ରିପୋର୍ଟ..

ନୂଆଦିଲ୍ଲୀ,୩୧।୧୦: ଦେଶରେ ଗତ ୨୦୨୦ ବର୍ଷରେ ଟ୍ରେନ୍‌ ଦୁର୍ଘଟଣାରେ ୧୨ ହଜାର ଲୋକଙ୍କ ଜୀବନ ଯାଇଛି। ସାରା ଦେଶରେ ଗତ ବର୍ଷ ୧୩ ହଜାରରୁ ଅଧିକ ଟ୍ରେନ ଦୁର୍ଘଟଣା ଘଟିଥିଲା। ଏନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଟ୍ରେନ ଦୁର୍ଘଟଣାରେ ପ୍ରତିଦିନ ହାରାହାରି ମୃତ୍ୟୁସଂଖ୍ୟା ୩୨ ଥିଲା। ତେବେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଟ୍ରେନରୁ ଖସିପଡ଼ିବା କିମ୍ବା ରେଲୱେ ଟ୍ରାକ ପାର ହେବାବେଳେ ୮,୪୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଯାହାକି ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୭୦ ପ୍ରତିଶତ।

ମହାରାଷ୍ଟ୍ରରେ ଅଧିକାଂଶ ଟ୍ରେନ ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଉତ୍ତରପ୍ରଦେଶ ଏଥିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ମହାରାଷ୍ଟ୍ରରେ ୧୯୨୨ ଲୋକଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାବେଳେ ଉତ୍ତରପ୍ରଦେଶରେ ୧୫୫୮ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ରେଳ କ୍ରସିଂରେ ଦୁର୍ଘଟଣାରେ ଶୀର୍ଷରେ ରହିଛି। ଏଥିରେ ବିହାର ଦ୍ୱିତୀୟ ସ୍ଥାନରେ ଏବଂ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଛି।

ପ୍ରକାଶ ପାଇଥିବା ୨୦୨୦ ପରିସଂଖ୍ୟାନରେ ରେଳ ଦୁର୍ଘଟଣାର ସ୍ଥିତିରେ ୨୦୧୯ ତୁଳନାରେ ସୁଧାର ଆସିଛି। ତଥ୍ୟ ଅନୁଯାୟୀ, ୨୦୧୯୦ରେ ୨୭,୯୮୭ ଟ୍ରେନ ଦୁର୍ଘଟଣା ଘଟିଥିଲା। ୨୦୨୦ରେ ୧୩,୦୧୮ ଦୁର୍ଘଟଣା ଘଟିଥିଲା। ୨୦୨୦ରେ ୯୧୧୭ଟି ଦୁର୍ଘଟଣା ଯାତ୍ରୀ ଟ୍ରେନରୁ ଖସିପଡି କିମ୍ବା କ୍ରସିଂ କିମ୍ବା ଟ୍ରେନ ସମ୍ମୁଖକୁ ଆସିବା ଯୋଗୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି।

Share