୧୨ ହଜାର ବାୟୁସେନା କର୍ମଚାରୀଙ୍କ ଚାକିରି ଯିବ, ନେଇ ନାହାନ୍ତି କରୋନା ଟିକା…

ଓ୍ବାଶିଂଟନ,୩୧।୧୦: ଆମେରିକାର ୧୨ ହଜାର ବାୟୁସେନା କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯୋଜନା ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ କରୋନା ଟିକା ନେଇ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କୁହାଯାଉଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନେ ଗୋଟିଏ ମଧ୍ୟ ଡୋଜ୍‌ ନେଇ ନାହାନ୍ତି।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟଠାରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଇତିମଧ୍ୟରେ ଦୁଇମାସ ବିତିଥିଲେ ମଧ୍ୟ କର୍ମଚାରୀମାନେ ଏହାକୁ ଅଣଦେଖା କରୁଥିବା ପେଣ୍ଟାଗନ୍‌ କହିଛି।

୧୩ ଲକ୍ଷ କର୍ମଚାରୀଙ୍କ ଲାଗି କରୋନା ଟିକା ନେବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା। ଏହାର ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ୱାଶିଂଟନ ପୋଷ୍ଟ ରିପୋର୍ଟ ଅନୁଯାୟୀ, ୧୨,୦୦୦ରୁ ଅଧିକ ଆମେରିକୀୟ ବାୟୁସେନା କର୍ମଚାରୀ କରୋନା ଟିକା ନେବାକୁ ମନା କରି ଦେଇଛନ୍ତି। ଅକ୍ଟୋବର ପ୍ରାରମ୍ଭରେ, ଆମେରିକାର ବାୟୁସେନାର ପ୍ରାୟ ୬୦,୦୦୦ ସଦସ୍ୟ ଟିକାକରଣ ପାଇଁ ପ୍ରସ୍ତୁତ ନ ଥିଲେ। ପେଣ୍ଟାଗନ ମୁଖପାତ୍ର ଜନ କିର୍ବିଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଆମେରିକୀୟ ସୈନିକଙ୍କ ମଧ୍ୟରୁ ୯୭ ପ୍ରତିଶତ ଗୋଟିଏ ଡୋଜ୍‌ ନେଇଛନ୍ତି। ସେହିପରି ୮୭ ପ୍ରତିଶତ ଉଭୟ ଡୋଜ୍‌ ଗ୍ରହଣ କରିଛନ୍ତି।

Share