୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ପ୍ରାଥମିକତା ଦେଇ ୧୨ରୁ ୧୮ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଶୀଘ୍ର କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ଭର୍ଚୁଆଲ ବୈଠକରେ ନବୀନ ଏହି ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସ୍କୁଲ, କଲେଜରେ ପାଠାପଢ଼ା ପୁଣି ଆରମ୍ଭ ହୋଇପାରିବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ବୈଠକରେ ଓଡ଼ିଶାରେ ଟିକାକରଣ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଟିକାକରଣରେ ଓଡ଼ିଶା ବହୁତ ଭଲ ପ୍ରଦର୍ଶନ କରୁଛି। ଆମର ଟିକା ଅପଚୟ ଦେଶରେ ସର୍ବନିମ୍ନ। ହେଲେ ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ମିଳୁ ନ ଥିବାରୁ ଟିକାକରଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଇ ପାରୁ ନାହିଁ। କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଉଥିବା ଟିକା କୋଟାରୁ ସରକାରୀ ହସ୍ପିଟାଲ ପାଇଁ ୭୫% ଓ ଘରୋଇ ହସ୍ପିଟାଲ ପାଇଁ ୨୫% ହିସାବରେ ପ୍ରଦାନ କରୁଛନ୍ତି। ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ଅଧିକ ନ ଥିବାରୁ ଓଡ଼ିଶା ୨୫% ଟିକା ସମ୍ପୂର୍ଣ୍ଣ ଉଠାଣ କରିପାରୁ ନାହିଁ। ଫଳରେ ରାଜ୍ୟକୁ କମ୍‌ ଟିକା ଉପଲବ୍ଧ ହେଉଛି। ଟିକା ଯୋଗାଣର ଅନୁପାତ ଯଥାକ୍ରମେ ୯୫:୫ କରିବାକୁ ରାଜ୍ୟ ସରକାର କିଛିଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସବୁଜ ସଙ୍କେତ ଦିଆଯାଇନାହିଁ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ନବୀନ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆବଶ୍ୟକ ଟିକା ମିଳିଲେ ରାଜ୍ୟରେ ଟିକାକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଇପାରନ୍ତା ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।