୩୯ ବଦଳରେ ୧୨ ନର୍ସ

ଚମ୍ପୁଆ,୫ା୮(ଡି.ଏନ.ଏ.): ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଅବହେଳିତ ଅବସ୍ଥାରେ। ସେଥିପାଇଁ ରୋଗୀ ଏବେ ଜିଲା ମୁହାଁ ହେଲେଣି। ଉଚ୍ଚ କର୍ତ୍ତୃପକ୍ଷ ଅବହେଳାରୁ ଡାକ୍ତର ଅଭାବ ବର୍ତ୍ତମାନ ଦୈନନ୍ଦିନ ଘଟଣା ପାଲଟିଥିବା ବେଳେ ପ୍ରମୁଖ ସେବା ଯୋଗାଉଥିବା ନର୍ସ ମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖା ଦେଇଛି। ଏନେଇ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କିଛି ସୁଫଳ ମିଳିପାରୁନାହଁି। ଏହି ଚିକିସତ୍ାଳୟରେ ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ମେଡିସିନ ବିଭାଗ ଓ ସର୍ଜରୀ ବିଭାଗ ରହିଥିବା ବେଳେ ୩୯ଜଣ ନର୍ସଙ୍କ ଆବଶ୍ୟକତା ରହିଛି। ମାତ୍ର ୧୨ ଜଣ ନର୍ସ ଦ୍ୱାରା କାର୍ଯ୍ୟ କରାଯାଉଛି। ଏପରିକି ମେଡିସିନ ଓ ସର୍ଜରୀ ବିଭାଗ ଗୋଟିଏ ଜାଗାରେ ରହିଥିବା ବେଳେ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଅଲଗା ରହିଛି। ଫଳରେ ୧୨ ଜଣ ନର୍ସଙ୍କ ମଧ୍ୟରୁ ଅନେକଙ୍କୁ ୨ରୁ ଅଧିକ ଦାୟିତ୍ୱ ସମ୍ଭାଳିବାକୁ ପଡୁଛି। ଏପରିକି ରାତି ଡ୍ୟୁଟିରେ ଥିବା ନର୍ସମାନଙ୍କୁ ସକାଳେ ଡ୍ୟୁଟି କରିବାକୁ ପଡୁଛି। ଏହି ଚିକିତ୍ସାଳୟ ପ୍ରଥମ ରେଫରାଲ ଚିକିତ୍ସାଳୟ ହୋଇଥିବା ବେଳେ ଯୋଡା, ବଡବିଲ, ଝୁମ୍ପୁରା, ମୟୂରଭଞ୍ଜ ଓ ଝାଡ଼ଖଣ୍ଡର ରୋଗୀମାନେ ଏଠାକୁ ଆସୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ୨୦୦ରୁ ୨୫୦ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଥିବା ଦେଖାଯାଇଛି। ଏହାର ତୁରନ୍ତ ସମାଧାନ କରି ଆବଶ୍ୟକ ନର୍ସ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଏସମ୍ପର୍କରେ ଚିକିତ୍ସା ଅଧିକାରୀ ଡା. ଉମାକାନ୍ତ ସାହୁଙ୍କୁ ପଚାରିବାରୁ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରିଛି ବୋଲି କହିଛନ୍ତି।