୧୨ ଲକ୍ଷ ୪୨ ହଜାର କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ଲକ୍ଷ୍ୟ

କୋରାପୁଟ,୩ା୫(ସ୍ବ.ପ୍ର.): କୋରାପୁଟସ୍ଥିତ ଡିଆରଡିଏ ସଦ୍‌ଭାବନା ସଭାଗୃହଠାରେ ଜିଲାସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲାପାଳ ଅବଦୁଲ ଏମ୍‌ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲଓ୍ବାର, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଜିଲା ପରିଷଦ ସଭାପତି ସସ୍ମିତା ମେଲେକା, କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକଙ୍କ ପ୍ରତିନିଧି ଉତ୍କଳ ରଞ୍ଜନ ନାୟକ, କୋରାପୁଟ ଏମ୍‌ପିଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ରବି ଋତୁ ପାଇଁ ୧୨ ଲକ୍ଷ ୪୨ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ ଦେଇଥିବା ଜିଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ୨୧୩୬୫ ଜଣ ଚାଷୀ ପଞ୍ଜୀକୃତ କରିଥିବା ଜିଲା ଯୋଗାଣ ଅଧିକାରୀ କହିଛନ୍ତି। ତଦାରଖ ଦଳ ତରଫରୁ ୨୦୩୧୪ ଟି ଫର୍ମ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଆସନ୍ତା ଜୁନ୍‌ ୩ ତାରିଖରୁ ଜିଲାର ୭୪ଟି ମଣ୍ଡିରେ ଧାନକ୍ରୟ କରାଯିବ ବୋଲି ଜିଲାପାଳ କହିଛନ୍ତି। ଜୟପୁରରେ ରହିଥିବା ମଣ୍ଡିଗୁଡ଼ିକର ଭିତ୍ତିଭୂମିର ଅଭାବ ରହିଥିବା ବାରମ୍ବାର ଅବଗତ କରାଯାଉଥିଲେ ସୁଦ୍ଧା କାହିଁକି କରାଯାଉ ନାହିଁ ବୋଲି ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ। ଆସନ୍ତା ଧାନକ୍ରୟ ସମୟରେ ମଣ୍ଡିର ସୁବନ୍ଦୋବସ୍ତ କରାଯିବ ବୋଲି ଜିଲାପାଳ କହିଛନ୍ତି। କୋରାପୁଟ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶମ୍ଭୁ ପ୍ରସାଦ ହରପାଲ, ଜୟପୁର ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ସୁଶୀଲ କୁମାର ଜେନା, ଜିଲାର ମିଲର ଓ ଚାଷୀ ନେତାମାନେ ଯୋଗ ଦେଇଥିଲେ।