ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ପାୱର ସ୍ମାର୍ଟ ମିଟର ଲଗାଇବା ନାଁରେ ଲୁଟ୍ କରିବାରେ ସରକାର ଲାଗିପଡ଼ିଛି । ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଦିଆଯାଇଥିବା ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦକୁ ସ୍ବତଃସ୍ଫୂର୍ତ୍ତ ଜନସମର୍ଥନ ମିଳିଛି । ବଲାଙ୍ଗୀରରେ ମିଳିତ କୃଷକ ସଙ୍ଗଠନ ଓ ଅନ୍ୟ ଚାଷୀ ସଂଗଠନ ପକ୍ଷରୁ ଆଜି ସକାଳୁ ବିଭିନ୍ନ ଅଫିସ ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ କରାଯାଇଛି । ଜିଲାପାଳ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ, ଦୋକାନ ବଜାର ଓ ଗାଡି ମଟର ଚଳାଚଳ ବନ୍ଦ ରହିଛି । ଅନ୍ୟପଟେ ବନ୍ଦ ପାଳନ ସମୟରେ କୌଣସି ଜରୁରିକାଳୀନ ସେବା ଯେପରି ବନ୍ଦ ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି। ଏନେଇ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର, ସୌମେନ୍ଦ୍ର ପରିଚ୍ଛା, ଚାଷୀ ନେତା ଅରୁଣ ମିଶ୍ର, ସତ୍ୟ ବନଛୋର, ବିଭୁଦତ୍ତ ମିଶ୍ର, କୌସ୍ତୁଭ ସାହୁ, ନରହରି ରାଉତ, ଅମିତ ନାୟକ ଓ ଅନ୍ୟ ଚାଷୀମାନେ ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଏବଂ ଜିଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ମୋଟର ସାଇକେଲ ରାଲି କରାଯାଇ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି।

