ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର,୧୩ା୧୦(ଡି.ଏନ୍‌.ଏ.): ଜଣେ ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ଫଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଏଠାରେ। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବୁଧବାର ଓକିଲ ସଂଘ ପକ୍ଷରୁ ବଣିକ ସଂଘ,ସମସ୍ତ ବଜାର କମିଟି, ବସ୍‌ ଆସୋସିଏଶନ ସମେତ ଅନ୍ୟ ସଂଗଠନକୁ ମଧ୍ୟ ଅନୁରୋଧ କରିଥିଲେ ଏହି ବନ୍ଦକୁ ସଫଳ କରିବା ପାଇଁ।

ସୂଚନାନୁସାରେ ଗତ ୨୮ ତାରିଖରେ ଆଇନଜୀବୀ ଶଶଧର ମହାନ୍ତି ,ଭୂବନ ଓକିଲ ସଂଘର ସମ୍ପାଦକ ପ୍ରହ୍ଲାଦ ସାହୁ ଓ ଭୁବନ କୋର୍ଟର ୨ଜଣ କର୍ମଚାରୀ କାମାକ୍ଷାନଗରର ଏକ ହୋଟେଲକୁ ରାତି ଭୋଜନ କରିବାକୁ ଯାଇଥିବା ବେଳେ ସେଠାରେ କିଛି ଅସାମାଜିକ ଯୁବକ ତାଙ୍କୁ ମାଡ଼ ମାରିବାରୁ ସମସ୍ତେ ଆହତ ହୋଇଥିବା ବେଳେ ଆଇନଜୀବୀ ଶଶଧର ମହାନ୍ତି ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କର ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି। ତେବେ ଏହା ଭିତରେ ୧୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କେବଳ ଜଣଙ୍କୁ ଗିରଫ କରି ହାତିବାନ୍ଧି ବସିପଡ଼ିଛି। ଓକିଲ ସଂଘ ପକ୍ଷରୁ ପୋଲିସକୁ ବାରମ୍ବାର ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଆଜି କାମାକ୍ଷାନଗରକୁ ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ଆହ୍ବାନ ଦେଇଛି ଓକିଲ ସଂଘ। ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଯାଜପୁର -ଭୁବନ -କାମାକ୍ଷାନଗର -ତାଳଚେର – ଅନୁଗୋଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ ଅବରୋଧ ହୋଇଛି। ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଢେଙ୍କାନାଳ ଜିଲା ସଦରମହକୁମାକୁ ମଧ୍ୟ ଯାତାୟାତ ବନ୍ଦ ରହିଛି।