ନବରଙ୍ଗପୁର,୧୨।୧ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ଜିଲା ବିଜେଡି ସଭାପତି ମନୋହର ରନ୍ଧାରୀ ଭାଜପା ସରକାରଙ୍କ ଚାଷ ମାରଣାନୀତିକୁ ଦଳ ବିରୋଧ କରୁଥିବା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କେ.ବି.ସିଂହ ଦେଓଙ୍କ ଚାଷୀ ନାଟକ ବାଜୀ ମନ୍ତ୍ରବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଭାଜପା ମିଲରଙ୍କ ସହିତ ସଲାସୁତରା ହୋଇ ନାଟକବାଜୀ କରୁଛି ବୋଲି କହି ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଧାନମଣ୍ଡିର ଅବ୍ୟବସ୍ଥା ସୁଧାର ପାଇଁ ବିଭିନ୍ନ ଦାବି ନେଇ ଆସନ୍ତା ୧୩ରେ ଜିଲାର ୭ ବ୍ଲକର ଚାଷୀଙ୍କୁନେଇ ଚକଅଖ ବନ୍ଦ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କିନ୍ତୁ କୌଣସି ଦୋକାନ ବଜାର ବନ୍ଦ ହେବ ନାହିଁ।
କେବଳ ଚକଅଖ ଅଚଳ କରି ନବରଙ୍ଗପୁର, କୋଷାଗୁମୁଡ଼ା, ନନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ଡାବୁଗାଁ, ଚନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ବ୍ଲକର ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହେବେ ବୋଲି କୁହାଯାଇଛି। ଧାନମଣ୍ଡିରେ କଟ୍ନୀଛଟ୍ନୀ ବନ୍ଦ, ଜରି ବସ୍ତାକୁ ଅନୁମତି, ପ୍ରତି ଧାନମଣ୍ଡିରେ ୪ହଜାର କୁଇଣ୍ଟାଲ ଧାନ ଉଠାଇବା ଦାବି, ଟୋକନ ଅବଧି ମଧ୍ୟରେ ଚାଷୀଙ୍କ ଧାନ ମଣ୍ଡିରୁ ଉଠାଇବାକୁ ଦାବି କରାଯିବ ବୋଲି ଜିଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସୂଚନା ଦେଇଛନ୍ତି। ଚାଷୀଙ୍କ ଧାନ ମଣ୍ଡିରୁ ଉଠୁନାହିଁ କିନ୍ତୁ ମିଲରଙ୍କ ଗୋଦାମ କିଭଳି ଧାନ ଭର୍ଭି ହୋଇ ରହିଛି ବୋଲି ପୂର୍ବତନ ଏମ୍ପି ପ୍ରଦୀପ ମାଝୀ ପ୍ରଶ୍ନ କରିଛନ୍ତି।


