୧୨ କଲରାପତରିଆ ‘ନରଖାଦକ’ ଅଭିଯୋଗମୁକ୍ତ

ଡେରାଡୁନ୍‌,୨୦ା୪: ଉତ୍ତରାଖଣ୍ଡ ବନ ବିଭାଗ ୧୨ କଲରାପତରିଆ ବାଘଙ୍କୁ ‘ନରଖାଦକ’ ଅଭିଯୋଗରୁ ମୁକ୍ତ କରିଛି। ମଣିଷ ମାରି ଖାଇଥିବା ଅଭିଯୋଗ ପରେ ବାଘଗୁଡ଼ିକୁ ବର୍ଷେ ହେଲା ପିଞ୍ଜରାରେ ରଖାଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ ପାଇଁ ସେମାନେ ଦାୟୀ ନୁହନ୍ତି ବୋଲି ଫୋରେନ୍‌ସିକ୍‌ ତଦନ୍ତରୁ ସ୍ପଷ୍ଟ ହୋଇଛି।
ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ପରେ ୧୨ କଲରାପତରିଆଙ୍କୁ ଉତ୍ତରାଖଣ୍ଡର ବିଭିନ୍ନ ବିବାଦୀୟ ଜୋନ୍‌ରୁ ଧରାଯାଇ ଆଲମୋରାସ୍ଥିତ ଏନ୍‌ଟିଡି ଉଦ୍ଧାର କେନ୍ଦ୍ରରେ ପର୍ଯ୍ୟବେକ୍ଷଣ ଓ ବିଜ୍ଞାନସମ୍ମତ ପରୀକ୍ଷା ପାଇଁ ରଖାଯାଇଥିଲା। ବଣ୍ୟପ୍ରାଣୀ-ମଣିଷ ଲଢ଼େଇ ସ୍ଥାନରୁ ସଂଗୃହୀତ ଡିଏନ୍‌ଏ ନମୁନାର ପିଞ୍ଜରାରେ ଥିବା ୧୨ କଲରାପତରିଆଙ୍କ ସହ ମେଳ ଖାଇ ନ ଥିବା ଲାବରେଟୋରି ପରୀକ୍ଷାରୁ ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ବନ ବିଭାଗ ଉକ୍ତ କଲରାପତରିଆଙ୍କୁ ମୁକ୍ତ କରିଦେଇଛି। ଏହି ୧୨ ବାଘ ଦୋଷ ନ କରି ସେମାନଙ୍କ ପ୍ରାକୃତିକ ବାସସ୍ଥାନରୁ ଦୂରେଇ ରହି ବର୍ଷେ ହେଲା ରେସ୍କ୍ୟୁ ସେଣ୍ଟରରେ ଦଣ୍ଡ ଭୋଗିଲେ ବୋଲି ଜଣେ ବନ ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily