Categories: ଜାତୀୟ

ବେଙ୍ଗାଲୁରୁ ଗଣବଳାତ୍କାର: ୨ ମହିଳାଙ୍କ ସମେତ ୧୨ ଗିରଫ

ବେଙ୍ଗାଲୁରୁ,୮।୭: କର୍ନାଟକର ରାଜଧାନୀରେ ବାଂଲାଦେଶର ମହିଳାଙ୍କୁ ଗଣବଳାତ୍କାର ଓ ନିର୍ଯାତନା ମାମଲାରେ ବେଙ୍ଗାଲୁୁରୁ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ୨ ମହିଳାଙ୍କ ସମେତ ୧୧ ଅଭିଯୁକ୍ତ ହେଉଛନ୍ତି ବାଂଲାଦେଶ ନାଗରିକ। ଘଟଣା ସାମ୍ନାକୁ ଆସିବାର ୫ ସପ୍ତାହରେ ତଦନ୍ତ ଶେଷ ହୋଇଥିବା ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ଗୁରୁବାର ଟୁଇଟ୍‌ କରିଛନ୍ତି। ଏହି ମାମଲାର ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରାଯାଇଛି।

ତଦନ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ତଦନ୍ତକାରୀ ଦଳକୁ ପ୍ରଶଂସା କରିବା ସହ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ଗଣବଳାତ୍କାର ଓ ନିର୍ଯାତନା ଘଟଣା ଚଳିତ ବର୍ଷ ମେ’ରେ ଘଟିଥିଲା। ଗଣବଳାତ୍କାର ପରେ ପୀଡ଼ିତଙ୍କ ଯୌନାଙ୍ଗରେ ଭଙ୍ଗା କାଚ ବୋତଲ ପୂରାଇ ଦେଇଥିଲେ ଅଭିଯୁକ୍ତମାନେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨୨ ବର୍ଷୀୟା ମହିଳା ଗଣବଳାତ୍କାର ଶୀକାର ହୋଇଥିବା ଜଣାପଡ଼ିଥିଲା।

ମାନବ ଚାଲାଣକାରୀଙ୍କ ଦ୍ୱାରା ପୀଡ଼ିତାଙ୍କୁ ଭାରତ ଅଣାଯାଇଥିଲା। ତାଙ୍କୁ ଠେଲି ଦିଆଯାଇଥିଲା ବେଶ୍ୟାବୃତ୍ତିକୁ। ଆର୍ଥିକ ବିବାଦକୁ ନେଇ ଅଭିଯୁକ୍ତମାନେ ତାଙ୍କୁ ଗଣବଳାତ୍କାର କରିବା ସହ ନିର୍ଯାତନା ଦେଇଥିଲେ। ଗତ ଦୁଇ ମାସରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପୋଲିସକୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରି ଗୁଳି ଖାଇଥିଲେ।

Share