୧୦ ମାସରେ ୧୧, ୮୨୪ ଅଭିଯୋଗ

ଭୁବନେଶ୍ୱର, ୧।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହିତ ମୌଳିକ ସୁବିଧା ଯୋଗାଇ ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅନେକ ସମୟରେ ବିଭିନ୍ନ ଯୋଜନା ସହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି। ସେହିପରି ମହାନଗର ନିଗମବାସୀଙ୍କର କୌଣସି ସମସ୍ୟା ଉପୁଜିଲେ ଏଥିପାଇଁ ସେମାନେ ବିଏମ୍‌ସିରେ ଅଭିଯୋଗ କରିପାରିବାର ବ୍ୟବସ୍ଥା ରହିଛି। ପ୍ରତିଦିନ ଏକାଧିକ ଅଭିଯୋଗ ବିଏମ୍‌ସିରେ ଦାଖଲ କରାଯାଉଥିବା ବେଳେ କେତେକ ସମାଧାନ ହୋଇଛି ଓ ଆଉ କେତେକ ଅଭିଯୋଗ ବିଏମ୍‌ସି ଫାଇଲ ତଳେ ପଡିରହିଛି। ଅଭିଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି। ଏଥିସହ ଯେଉଁମାନେ ଅନ୍‌ଲାଇନ୍‌ ବ୍ୟବସ୍ଥା ସମ୍ପର୍କରେ ଅଭ୍ୟସ୍ତ ନୁହଁନ୍ତି ସେମାନଙ୍କ ପାଇଁ ୧୯୨୯ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ଚଳିତ ବର୍ଷ ଜାନୁୟାରୀରୁ ଅକ୍ଟୋବର ୩୦ ମଧ୍ୟରେ ବିଏମ୍‌ସିରେ ମୋଟ୍‌ ୧୧ହଜାର ୮୨୪ଟି ଅଭିଯୋଗ ଦାଖଲ କରାଯାଇଛି। ସେଥିମଧ୍ୟରୁ ମୋଟ୍‌ ୧୧ହଜାର ୩୫୮ଟି ସମାଧାନ ହୋଇଥିବାବେଳେ ୪୬୬ଟି ଅଭିଯୋଗ ସମାଧାନ ଅପେକ୍ଷାରେ ରହିଛି। ଅପରପକ୍ଷେ ଷ୍ଟ୍ରିଟ୍‌ ଲାଇଟ୍‌ ସମ୍ବନ୍ଧୀୟ ୬,୧୧୮ଟି ଅଭିଯୋଗ ରହିଥିବାବେଳେ ୫,୮୮୦ଟି ସମାଧାନ ହୋଇଛି। ସେହିପରି ପରିମଳ ସମ୍ପର୍କିତ ମୋଟ୍‌ ୩,୩୯୮ଟି ଅଭିଯୋଗ ଦାଖଲ ହୋଇଥିବାବେଳେ ୩,୩୩୧ଟି ସମାଧାନ ହୋଇଛି। ବାକି ୨,୩୦୮ଟି ରାସ୍ତା, ଖାଲଖମା ଏବଂ ଅନ୍ୟାନ୍ୟ ଅଭିଯୋଗ ରହିଛି। ସେଥିମଧ୍ୟରୁ ୨,୧୪୭ଟି ସମାଧାନ ଅପେକ୍ଷାରେ ରହିଛି।
ଅପରପକ୍ଷେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ୱ ନେବା ପରେ ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ‘ଜନ ଅଭିଯୋଗ ଶୁଣାଣି’ ଆରମ୍ଭ କରିଛନ୍ତି। ଜୁଲାଇ ୪ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ପ୍ରତି ସୋମବାର ସାଧାରଣ ନାଗରିକ ସିଧାସଳଖ କମିଶନରଙ୍କୁ ଭେଟି ନିଜର ଅସୁବିଧା ଜଣାଇ ପାରିବେ। ଏଯାବତ୍‌ ଜନ ଶୁଣାଣିରେ ୧୫୮ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୧୩୭ଟି ସମାଧାନ ହୋଇଛି। ଅପରପକ୍ଷେ କେବଳ ଅକ୍ଟୋବର ମାସରେ ବିଏମ୍‌ସିକୁ ୨୨୪୬ଟି ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି।