Categories: ଜାତୀୟ

‘ଭାରତ ଯୋଡୋ ଯାତ୍ରା’ରେ ୩୫୦୦ କିଲୋମିଟର ଚାଲିବେ କହ୍ନେୟା କୁମାର, ପୱନ ଖେଡାଙ୍କ ସମେତ ୧୧୭ ନେତା

ନୂଆଦିଲ୍ଲୀ,୧ ।୯: ସେପ୍ଟେମ୍ବର ୭ରୁ ଆରମ୍ଭ ହେବ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ । ଏଥିରେ ୧୧୭ ଜଣ ନେତା ପଦଯାତ୍ରା କରିବେ । ଏହାର ସ୍ଥାୟୀ ସୂଚୀରେ କଂଗ୍ରେସର ଯୁବ ନେତା କହ୍ନେୟା କୁମାର, ପୱନ ଖେଡା ଓ ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲାଙ୍କ ନାମ ବି ରହିଛି । ଏମାନେ କନ୍ୟାକୁମାରୀରୁ କଶ୍ମୀର ମଧ୍ୟରେ ୩୫୦୦ କିଲୋମିଟର ପାଦରେ ଚାଲିବେ ।
ଯାତ୍ରା ଆୟୋଜନ ସମିତିର ଅଧ୍ୟକ୍ଷ ଦିଗ୍‌ବିଜୟ ସିଂଙ୍କ ସୂଚନା ଅନୁଯାୟୀ, ୧୨ ରାଜ୍ୟଦେଇ ଯାଉଥିବା ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ଥିବା ସମସ୍ତ ନେତା ଓ କର୍ମୀଙ୍କୁ ‘ଭାରତ ଯାତ୍ରୀ’ ନାମ ଦିଆଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀରୁ ର‌୍ୟାଲି ସହ ହେଉଥିବା ଯାତ୍ରାକୁ ସବୁଜ ପତାକା ଦେଖାଇବେ ।
ରାହୁଲ ଆଗାମୀ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ ବିରତି ନେଇ ପଦଯାତ୍ରାରେ ଯୋଗ ଦେବେ । ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ପୂର୍ବତନ ଯୁବ କଂଗ୍ରେସ ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ ଓ ଉତ୍ତରାଖଣ୍ଡର ସଂଚାର ବିଭାଗର ସଚିବ ବୈଭବ ୱାଲିୟା ବି ଯାତ୍ରାରେ ସାମିଲ ହେବେ ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ଯାତ୍ରା’ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ୧୨ ରାଜ୍ୟ ଦେଇ ଜମ୍ମୁ-କଶ୍ମୀରରେ ଶେଷ ହେବ । ଯାତ୍ରାରେ କଂଗ୍ରେସ ପତାକା ଦେଖିବାକୁ ମିଳିବ ନାହିଁ । ଏହା ବଦଳରେ ତ୍ରିରଙ୍ଗାକୁ ସାମିଲ କରାଯିବ । ଯାତ୍ରାର ମୂଳ ଉଦ୍ଦେଶ୍ୟ ସମାଜରୁ ଘୃଣା ହଟାଇବା ବୋଲି କୁହାଯାଇଛି । ୩୫୦୦ କିଲୋମିଟର ଏହି ପଦଯାତ୍ରା ପ୍ରାୟ ୧୫୦ ଦିନ ପର୍ଯ୍ୟନ୍ତ ଚାଲିବ ।

Share