କେସିଙ୍ଗା,୨୦।୯(ତୁମେଶ୍ବର ସାହୁ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଅଧିକାରୀ ରାକେଶ ବୁଡ଼ଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ ଓ ବ୍ଲକ ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୪୮୮ ଜଣ ହିତାଧିକାରୀ ଯୋଗଦେଇ ଥିଲେ। ଏହି ଶିବିରରେ ଅର୍ଥପେଡି, ଦୃଷ୍ଟିହୀନ, ସିକିଲସେଲ, ଶ୍ରବଣ ଶକ୍ତି ବାଧିତ, ନିର୍ଦ୍ଦିଷ୍ଟ ଜ୍ଞାନକାର ଅକ୍ଷମତା ଏଭଳି ୫ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି। କିନ୍ତୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ ଅନ୍ତର୍ଗତ ୨୧ ପ୍ରକାର ଭିନ୍ନକ୍ଷମ ରହିଛନ୍ତି। ଏହି ଶିବିରରେରେ ୫ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଥିଲା। ଅବଶିଷ୍ଟ ୧୬ ପ୍ରକର ଭିନ୍ନକ୍ଷମ ବ୍ୟକ୍ତିମାନେ ଏଥିରୁ ବଞ୍ଚିତ ହୋଇଥିଲେ ବୋଲି ଓଡ଼ିଶା ବିକଳାଙ୍ଗ ମଞ୍ଚ ତଥା କଳାହାଣ୍ଡି ଭିନ୍ନକ୍ଷମ ସମିତିର ସମ୍ପାଦକ ଡୋଳାମଣି ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଯେକୌଣସି ଜାଗାରେ ଶିବିର ଅନୁଷ୍ଠିତ ହେଲେ ୨୧ ପ୍ରକାର ଚିହ୍ନଟ କରିବାର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ୧୧୬ଜଣ ହିତାଧିକାରୀଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରିଥିଲେ।ବ୍ଲକର ୧୨ ଜଣ ଭିନ୍ନକ୍ଷମଙ୍କୁ ହ୍ବିଲଚେୟାର ପ୍ରଦାନ କରାଯାଇଥିବାବେଳେ ୨୫ ଜଣ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା। ଟ୍ରେନ ଓ ବସ୍ ପାସ ମଧ୍ୟ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଇଛି। ଏହି ଶିବିର ରେ ଦୂରଦୂରାନ୍ତରୁ ଆସିଥିବା ଗରିବ ଭିନ୍ନକ୍ଷମ ବ୍ୟକ୍ତିମାନେ ଅନଲାଇନରେ ପଞ୍ଜିକରଣ କରି ନ ଥିବାରୁ ସାର୍ଟିଫିକେଟ କିମ୍ବା ସେବା ନ ପାଇ ନିରାଶରେ ଫେରି ଯାଇଥିଲେ।


