Categories: ଜାତୀୟ

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଗତ ୩ ଦିନରେ ମୋଟ ୧୧୫୬ ଜଣ ଭାରତୀୟଙ୍କୁ ଏୟାର ଇଣ୍ଡିଆ ପକ୍ଷରୁ ଏୟାର ଲିଫ୍ଟ କରାଯାଇଛି।

ସୋମବାର ସକାଳେ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ୨୪୯ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆର ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏୟାର ଇଣ୍ଡିଆର ୧୯୪୨-ଏ ବିମାନ ଭାରତୀୟ ସମୟ ୧୨ଟା ୩୦ରେ ବୁକାରେଷ୍ଟରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ସୋମବାର ସକାଳ ପ୍ରାୟ ୬ ଟା ୩୦ରେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଛି।

ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନର ସମୀକ୍ଷା ପ୍ରଧାନମନ୍ତ୍ରୀ ନାରନ୍ଦ୍ର ମୋଦି କରିଛନ୍ତି। ଭାରତୀୟ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ।

ପଶ୍ଚିମ ୟୁକ୍ରେନର ଉଜୋରୋଡକୁ, ସ୍ଲୋଭାକିଆର ସୀମାରେ ଏବଂ ହଙ୍ଗେରୀ ସୀମାରେ ଭାରତୀୟ ନାଗରିକମାନଙ୍କୁ ପଶ୍ଚିମ ଦିଗକୁ ଯିବାକୁ ସରକାର ପରାମର୍ଶ ଦେଇଛନ୍ତି ଏବଂ ସେଠାରୁ ସେମାନେ ଏକ ଟ୍ରେନରେ ରୋମାନିଆର ରାଜଧାନୀ ବୁକାରେଷ୍ଟରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ଏୟାର ଲିଫ୍ଟ କରାଯିବ। ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ହଙ୍ଗେରୀର ପ୍ରତିପକ୍ଷ ପିଟର ସିଜାଟ୍ରେଙ୍କ ସହ କଥା ହୋଇଥିଲେ। ହଙ୍ଗେରୀ-ୟୁକ୍ରେନ ସୀମାରୁ ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାରେ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ସହାୟତା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।

Share