୧୧ ହଜାର ଶିକ୍ଷକ ପାଇବେ ନିଯୁକ୍ତି

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟର ହାଇସ୍କୁଲଗୁଡ଼ିକରେ ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍‌ ଶେଷ ସୁଦ୍ଧା ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୧ ହଜାର ଶିକ୍ଷକଙ୍କ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ମାସ ଭିତରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତପତ୍ର ପ୍ରଦାନ କରିବେ। ଏଥିସହ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ୧୭ଶହ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନେଇ ପୂର୍ବରୁ ବିଜ୍ଞପ୍ତି ବାହାରିଥିଲା ବୋଲି ମନ୍ତ୍ରୀ ଦାଶ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୧୬ ତାରିଖରେ ୬ହଜାର ଶିକ୍ଷକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ, ଯାହା କି ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଇତିହାସ ଥିଲା। ଏହା ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଶିକ୍ଷକଙ୍କୁ କେବେ ନିଯୁକ୍ତି ଦିଆଯାଇ ନ ଥିଲା। ଡିସେମ୍ବର ୧୬ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏତେ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ପାଇଁ ମାତ୍ର ୪୭ଦିନ ଲାଗିଥିଲା। ୬ହଜାର ଶିକ୍ଷକଙ୍କ ମଧ୍ୟରେ ୨,୨୩୬ଜଣ କଳା, ୧୭୭୯ ବିଜ୍ଞାନ, ୮୨୯ ହିନ୍ଦୀ, ୭୯୬ ସଂସ୍କୃତ ଏବଂ ପିଇଟି ଓ ୩ଜଣ ତେଲୁଗୁ ଶିକ୍ଷକ ରହିଥିଲେ। ଏବେ ରାଜ୍ୟ ସରକାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ପୁଣି ଗୋଟିଏ ଦିନରେ ସର୍ବାଧିକ ୧୧ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଅନ୍ୟପକ୍ଷରେ ରାଜ୍ୟରେ ହାଇସ୍କୁଲ ରୂପାନ୍ତରଣ ହେଉଥିବାବେଳେ ଆଗକୁ ପ୍ରାଥମିକ ସ୍କୁଲ ଉପରେ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ଚିନ୍ତା କରିଛନ୍ତି। ଏ ନେଇ ମନ୍ତ୍ରୀ ଦାଶ କହିଛନ୍ତି, ରାଜ୍ୟରେ ପ୍ରାୟ ୮ହଜାର ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୫ହଜାର ସ୍କୁଲକୁ ରୂପାନ୍ତରଣ କରାଯାଉଛି। ବାକି ୩ହଜାର ହାଇସ୍କୁଲର ରୂପାନ୍ତରଣ ବ୍ୟବସ୍ଥା କରାଯିବ। ସ୍କୁଲ ରୂପାନ୍ତରଣ ହେଲେ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେଣୁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ତେବେ ହାଇସ୍କୁଲଗୁଡ଼ିକୁ ରୂପାନ୍ତରଣ କରିବା ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀରେ ରାଜ୍ୟର ୮,୧୦୨ ଜଣ ଶିକ୍ଷା ସହାୟକଙ୍କୁ ସରକାର ନିୟମିତ କରିଥିଲେ। ୨୦୧୫ ଜାନୁୟାରୀରେ ସେମାନେ ନିଯୁକ୍ତି ପାଇଥିଲେ।