୬ ମାସରେ ନିଯୁକ୍ତ ହେବେ ୧୧୦୦ ଅଗ୍ନିଶମ କର୍ମଚାରୀ

କଟକ ଅଫିସ,୨୩ା୫: ରାଜ୍ୟ ଅଗ୍ନିଶମ ବିଭାଗର ଡିଜି ଭାବେ ଆଇପିଏସ୍‌ ଅଫିସର ଡ. ସୁଧାଂଶୁ ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। କଟକସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ସେ ଭାରପ୍ରାପ୍ତ ଅଗ୍ନିଶମ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସରଙ୍କୁ ରାଜ୍ୟ ସରକାର କିଛିଦିନ ତଳେ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲଓ୍ବେ ଆଣ୍ଡ୍‌ କୋଷ୍ଟାଲ ସିକ୍ୟୁରିଟି ଭାବେ କାର୍ଯ୍ୟ ତୁଲାଉଥିଲେ। ଏହା ପୂର୍ବରୁ ସେ ଟୁଇନ୍‌ ସିଟିର ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ଦାୟିତ୍ୱ ଗ୍ରହଣ ଅବସରରେ ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ। ରାଜ୍ୟବାସୀଙ୍କୁ ଉନ୍ନତ ସେବା ପ୍ରଦାନ କରି ଆସ୍ଥାଭାଜନ ହେବା ପାଇଁ ସମସ୍ତେ ଚେଷ୍ଟା କରିବୁ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ସେ ଆହୁରି କହିଛନ୍ତି, ୨୦୦୦ରେ ରାଜ୍ୟରେ ୧୧୨ ଦମକଳ କେନ୍ଦ୍ର ଥିଲା। ଏବେ ଏହା ୩ ଗୁଣ ବୃଦ୍ଧି ପାଇ ୩୪୫ରେ ପହଞ୍ଚତ୍ଲାଣି। ଏହି କେନ୍ଦ୍ରଗୁଡ଼ିକ କେବଳ ଆଗ୍ନେୟ ଦୁର୍ଘଟଣା ବା ଅଗ୍ନି ନିର୍ବାପନ କାର୍ଯ୍ୟ କରୁନାହିଁ ବରଂ ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଥମ ରେସ୍‌ପଣ୍ଡର ଭାବେ କାମ କରୁଛି। ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦେଶ ଓ ବିଦେଶରେ ସୁନାମ ଆଣିଛି। ଏବେ ରାଜ୍ୟରେ ଆଗଭଳି ଚାଳ ଛପର ଘର ନାହିଁ କି ଆଗ ଭଳି ଘରପୋଡ଼ି ଆଉ ହେଉ ନାହିଁ। କିନ୍ତୁ ଉଚ୍ଚ ଏବଂ ଅତି ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିବାରେ ଲାଗିଛି। ସ୍ବାସ୍ଥ୍ୟ, ଶିକ୍ଷା, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ରହିଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକରେ ଆଗ୍ନେୟ ଦୁର୍ଘଟଣାର ଆଶଙ୍କା ରହୁଛି। ସେଥିପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହୁଛି। ଚଳିତବର୍ଷ ଅଗ୍ନିଶମ ବିଭାଗର ଆଧୁନିକୀକରଣ ଓ ସାମର୍ଥ୍ୟ ବୃଦ୍ଧି ପାଇଁ ୨୪୦ କୋଟି ଟଙ୍କା ଅଧିକ ଅନୁଦାନ ଦେବା ପାଇଁ ଆଲୋଚନା ଚାଲିଛି। ଏହାଛଡ଼ା ଆଗାମୀ ୬ ମାସ ମଧ୍ୟରେ ଅଗ୍ନିଶମ ସଂସ୍ଥାରେ ୧,୧୦୦ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମିଳିସାରିଛି। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଅପରପକ୍ଷରେ ରାଜ୍ୟରେ ବର୍ତ୍ତମାନ ୧୫,୯୧୮ ଗୃହରକ୍ଷୀ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦିଆଯିବ। ଆଶା କରିବି ସେମାନେ ଦକ୍ଷତା ଓ ନିଷ୍ଠାର ସହ ସେବା ପ୍ରଦାନ କରି ଲୋକଙ୍କ ଆସ୍ଥାଭାଜନ ହେବେ। ଆଗାମୀ ଦିନରେ ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ସଂସ୍ଥା ନିଜର ସମ୍ମାନ ଓ ପରିଚୟ ଦେଶବିଦେଶରେ ବଜାୟ ରଖିବାକୁ ଯତ୍ନବାନ୍‌ ହେବ ବୋଲି ସେ କହିଛନ୍ତି।