ମାଲକାନଗିରିରେ ୧୧୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି,୧୫ା୮: ଶନିବାର ମାଲକାନଗିରି ଜିଲାରେ ୭୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଜିଲାରେ ଆଜି ସୁଦ୍ଧା ମୋଟ୍‌ ୧୧୫୬ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଜିଲାରେ ପ୍ରବଳ ବର୍ଷା ଯୋଗୁ ସମସ୍ତ ନଦୀରେ ବର୍ଷାପାଣି ପ୍ରବାହିତ ହେବା ଯୋଗୁ ଯାତାୟତ ଠପ୍‌ ହୋଇ ଯାଇଥିବା ବେଳେ ଅନ୍ୟପଟେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି।
ଆଜି ଚିହ୍ନଟ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦର ୧୮, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ, କାଲିମେଳା ୯, କୋରୁକୋଣ୍ଡା ୨୦, ଖଇରପୁଟ ୮, ମାଲକାନଗିରି ୧୧, ମାଥିଲି ଜଣେ, ପଡିଆ ୪ ଓ ଚିତ୍ରକୋଣ୍ଡା ବ୍ଲକର ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ମାଲକାନଗିରି ପୌର ପରିଷଦର ୧୮ଜଣଙ୍କ ମଧ୍ୟରୁ ଓ୍ବାର୍ଡ ନଂ ୩ ଜିଲା କାରାଗାରରେ ୪ ଜଣ, ଓ୍ବାର୍ଡ ନଂ ୧୮ ନୁଆଗୁଡାର ୩ଜଣ, ଓ୍ବାର୍ଡ ନଂ ୧୬ ଏମ୍‌.ଭି. ୩ର ଦୁଇଜଣ, ଓ୍ବାର୍ଡ ନଂ ୧୨ ଭେଟେନାରୀ ସାହିର ଜଣେ, ଓ୍ବାର୍ଡ ନଂ ୧୪ କେନାଲ କଲୋନୀର ଜଣେ, ଓ୍ବାର୍ଡ ନଂ ୮ ଆସିରାଦ କଲୋନୀର ୩ ଜଣ, ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରାବାସର ୨ଜଣ, ଜୟପୁରିଆଗୁଡ଼ାର ଜଣେ, ଓ୍ବାର୍ଡ ନଂ ୧୭ ବ୍ଲକ କଲୋନୀର ଜଣେ, ଚିହ୍ନଟ ହୋଇଥିବା ସୂଚନା ମିଳିଛି ା
ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା ୧୧୫୬ଜଣ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୮୭ ଜଣ ଚିକିତ୍ସିତ ହେଉଛନ୍ତି।