୧୧୦ କୋଟି ଲୋକଙ୍କୁ ମିଳିବ ଦୃଷ୍ଟିଶକ୍ତି, ଜାତିସଂଘ ଯୋଗାଇଦେବ ସହାୟତା…

ଜେନେଭା,୨୫।୭: ପୃଥିବୀର ୧୧୦ କୋଟି ଲୋକଙ୍କୁ ଏବେ ଦୃଷ୍ଟିଶକ୍ତି ମିଳିବ। ଏନେଇ ଜାତିସଂଘ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ଜାତିସଂଘର ସାଧାରଣ ସଭାରେ ଏସମ୍ପର୍କିତ ଏକ ପ୍ରସ୍ତାବକୁ ୧୦୦ରୁ ଅଧିକ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି। ପୃଥିବୀର ସମସ୍ତ ଲୋକଙ୍କ ଦୃଷ୍ଟିଶକ୍ତିକୁ ନିଶ୍ଚିତ କରିବା ଲାଗି ଜାତିସଂଘ ପକ୍ଷରୁ ଏକ ନୂତନ ସଂକଳ୍ପ ଗ୍ରହଣ କରିଯାଇଛି। ଜାତସଂଘର ୧୯୩ ସଦସ୍ୟ ରାଷ୍ଟ୍ରରେ ଥିବା ଦୃଷ୍ଟି ବାଧିତ ଲୋକଙ୍କୁ ୨୦୩୦ ସୁଦ୍ଧା ସହାୟତା ଯୋଗାଇ ଦିଆଯିବ। ବାଂଲାଦେଶ, ଆଣ୍ଟିଗୁଆ ଏବଂ ଆୟର୍ଲାଣ୍ଡରୁ ପକ୍ଷରୁ ସାଧାରଣ ସଭାରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ, ସମସ୍ତ ଦେଶର ସରକାର, ଆନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଏବଂ ଆର୍ଥିକ ସହାୟତାକାରୀଙ୍କ ଦ୍ୱାରା ଦୃଷ୍ଟି ବାଧିତଙ୍କ ଚିକିତ୍ସା ଲାଗି ସାହାଯ୍ୟ ଯୋଗାଇ ଦିଆଯିବ। ସାଧାରଣ ସଭାରେ ଏହା ମଧ୍ୟ ଆକଳନ କରାଯାଇଛି ଯେ, ୨୦୫୦ ସୁଦ୍ଧା ପୃଥିବୀର ମୋଟ ଜନସଂଖ୍ୟାର ପ୍ରାୟ ଅଧା ଲୋକଙ୍କଠାରେ ଆଖି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ଆଖି ସମସ୍ୟାରୁ ଠିକ୍‌ ହେବାର ସମ୍ଭାବନା ଥିବା ୧୧୦ କୋଟି ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଜନସଂଖ୍ୟା ସ୍ବଳ୍ପ କିମ୍ବା ମଧ୍ୟମ ବର୍ଗର ଅର୍ଥନୀତି ଥିବା ଦେଶରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୫୫ ପ୍ରତିଶତ ମହିଳା ଅଛନ୍ତି। ଦୃଷ୍ଟି ସମସ୍ୟା ଯୋଗୁ ପୃଥିବୀର ମୋଟ ତ୍ତତ୍ପାଦନ କ୍ଷମତା ଉପରେ ପ୍ରାୟ ୪୧୧ ଶହ କୋଟି ଡଲାରର କ୍ଷତି ହେଉଛି। ଏସବୁ ଲୋକଙ୍କ ଆଖିର ସମସ୍ୟା ଦୂର ହେଲେ ସମଗ୍ର ପୃଥିବୀର ରୋଜଗାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଅଗାତ ହୋଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

Share