ଯୁଦ୍ଧ ମଧ୍ୟରେ ହଜାରେ କି.ମି ଯାତ୍ରା କଲେ ୧୧ବର୍ଷର ବାଳକ: ଛୁଟିଲା ପ୍ରଶଂସାର ସୁଅ

ବ୍ରାଟିସ୍‌ଲାଭା,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିିଥିବା ଯୁଦ୍ଧ ଭିତରେ ଜଣେ ନାବଳକଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ପ୍ରାୟ ୧୦୦୦ କିଲୋମିଟରରୁ ଊର୍ଦ୍ଧ୍ୱ ଏକୁଟିଆ ଯାତ୍ରା କରି ଜଣେ ୧୧ ବର୍ଷର ବାଳକ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ଲୋଭାକିଆ ପହଞ୍ଚିଛନ୍ତି। ତାଙ୍କ କାନ୍ଧରେ ଏକ ବ୍ୟାଗ ଓ ମା’ଙ୍କ ହାତ ଲୋଖା ଚିଠି ରହିଥିଲା। ଯେଉଁଥିରେ ସମସ୍ତ ଜରୁରୀକାଳୀନ ନମ୍ବର ଲେଖାଯାଇଥିବା ଜଣାପଡ଼ିଛି। ଏହି ପିଲାଟିର ଫଟୋକୁ ସ୍ଲୋଭାକିଆ ଗୃହ ମନ୍ତ୍ରଣାଳୟ ଫେସବୁକରେ ଶେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପସନ୍‌ରେ ଲେଖିଛନ୍ତି, ଏହି କଷ୍ଟଦାୟକ ଯାତ୍ରା ସମାପ୍ତ କରିବା ପରେ ବି ପିଲାଟିର ମୁହଁରେ ଖିଲିଖିଲି ହସ, ନିର୍ଭୟ ଓ ଦୃଢ଼ତା ଦୃଶ୍ୟମାନ ହେଉଛି। ଏତଦ୍‌ ବ୍ୟତୀତ ପିଲାଟିକୁ ପ୍ରଶଂସା କରିବାକୁ ଯାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପିଲାଟିକୁ ଗତରାତିିର ସବୁଠାରୁ ବଡ଼ ହିରୋ ବୋଲି କୁହାଯାଇଛି। ଏହି ବାଳକଙ୍କ ସାହସିକତା ସମସ୍ତଙ୍କ ମନ ଛୁଇଁଥିବା ବେଳେ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ୧୧ବର୍ଷର ବାଳକ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଝିଆର ବାସିନ୍ଦା ଅଟନ୍ତି। ଯାହାକୁ ଗତ ସପ୍ତାହରେ ରୁଷିଆ ସୈନ୍ୟଙ୍କ ଦ୍ୱାରା କବଜା କରାଯାଇଥିଲା। ତେବେ ଅସୁସ୍ଥ ସମ୍ପର୍କୀୟଙ୍କ ଯତ୍ନ ନେବା ପାଇଁ ଉକ୍ତ ବାଳକଙ୍କ ପିତାମାତାଙ୍କୁ ୟୁକ୍ରେନରେ ରହିବାକୁ ପଡୁଥିଲା। ଫଳରେ ୟୁକ୍ରେନରେ ଜାରି ରହିଥିବା ସଙ୍କଟକୁ ଦୃଷ୍ଟିରେ ରଖି ପିତାମାତା ଉକ୍ତ ବାଳକଙ୍କୁ ଏକୁଟିଆ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଟ୍ରେନ ଯୋଗେ ସ୍ଲୋଭାକିଆକୁ ପଠାଇଥିଲେ। ସେ ସ୍ଲୋଭାକିଆରେ ପହଞ୍ଚିବା ପରେ ସୀମା ଅଧିକାରୀମାନେ ଯୋଗାଯୋଗ କରି ତାଙ୍କୁ ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍‌ଲାଭାରେ ରହୁଥିବା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ। ଏଥିପାଇଁ ସ୍ଲୋଭାକିଆ ସରକାର ଓ ଅଧିକାରୀଙ୍କୁ ଉକ୍ତ ନାବାଳକଙ୍କ ମା’ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପପଟେ ସ୍ଲୋଭାକିଆର ଗୃହ ମନ୍ତ୍ରଣାଳୟ ଉକ୍ତ ଶିଶୁଟିକୁ ସାହସୀ ବୋଲି ପ୍ରଶଂସା କରିଛନ୍ତି।

Share