Categories: ଖେଳ

ଓଡ଼ିଶାରୁ ଭାଗନେବେ ୧୧ ଖେଳାଳି

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ରୋଲ ବଲ୍‌ ବିଶ୍ୱକପ୍‌ର ୬ଷ୍ଠ ସଂସ୍କରଣ ପୁଣେର ବାଲଓ୍ବୋଡ଼ି ଷ୍ଟାଡିୟମରେ ଚଳିତମାସ ୨୧ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶାର ୧୧ ପ୍ରତିଭା ସମ୍ପନ୍ନ ରୋଲ ବଲ୍‌ ଖେଳାଳି ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ ୧୭ ବର୍ଷରୁ କମ୍‌ ଜାତୀୟ ରୋଲ ବଲ୍‌ ଚାମ୍ପିୟନଶିପ ମଧ୍ୟ ସେଠାରେ ଆୟୋଜନ ହେବ। ସେଥିରେ ମଧ୍ୟ ଓଡ଼ିଶାର ଏହି ୧୧ ଜଣିଆ ଦଳ ଅଂଶଗ୍ରହଣ କରିବ। ଓଡ଼ିଶା ଦଳରେ ମନୋନୀତ ଖେଳାଳିମାନେ ହେଲେ ଦେବ କୁମାର ନାୟକ, ଆୟୁଷ ଜେନା, ପ୍ରତୀକ ଅର୍ନବ ଜେନା, ଅଭିସନ୍ତ ପାଣିଗ୍ରାହୀ,କୌସ୍ତୁଭ ପଟ୍ଟନାୟକ, ଅରମାନ ସୁଦିଧି, ପ୍ରୀତ୍‌ ପ୍ରୀତମ୍‌ ଜେନା, ସ୍ବସ୍ତିକ ସୁକୁମାର ପ୍ରହରାଜ, ପ୍ରୀତିଶ୍‌ ଆର୍ଯ୍ୟନ ଜେନା, ରୋହିତ କୁମାର ଭୋଇ ଓ ସାଇ ଶ୍ରୀୟାଂଶି ରାଉତ। ଓଡ଼ିଶା ରୋଲ ବଲ୍‌ ଆସୋସିଏଶନ ପକ୍ଷରୁ ସମ୍ପାଦକ ପାର୍ଥ ସାରଥି ଜେନା ବୁଧବାର ମନୋନୀତ ଖେଳାଳିମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରିଛନ୍ତି।

Share