ସାଉଥ୍‌ କୋରିଆରେ ୩ ଦିନରେ ୧୧ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ

ସିଓଲ୍‌,୨୧।୩: ସାରା ବିଶ୍ୱର ଅନେକ ଦେଶରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ସାରା ବିଶ୍ୱରେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ କରୋନାଜନିତ ୨୯୧୭ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶ ମଧ୍ୟରେ ସାଉଥ୍‌ କୋରିଆ ରହିଛି। ଯେଉଁଠାରେ ବର୍ତ୍ତମାନ ସବୁଠାରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ କୋରିଆରେ ୩.୩୪ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୩ଦିନ ମଧ୍ୟରେ ପ୍ରାୟ ୧୧ଲକ୍ଷରୁ ଊର୍ଦ୍ଧ୍ୱ କରୋନା ମାମଲା ସାମ୍ନାକୁ ଆସିଛି। ମାର୍ଚ୍ଚ ୨୦ରେ ସାଉଥ୍‌ କୋରିଆରେ ୩୩,୪୭,୦୮ଟି କରୋନା ମାମଲା ଦେଖିବାକୁ ମିଳିଥିଲା। ସେହିପରି ମାର୍ଚ୍ଚ ୧୯ରେ ୩୮,୧୩,୨୯ ଏବଂ ମାର୍ଚ୍ଚ ୧୮ରେ ୪୦,୭୦,୧୭ କରୋନା ମାମଲା ରୁଜୁ ହୋଇଛି। ଗତ ୩ଦିନରେ ଏଠାରେ ୯୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ସାଉଥ୍‌ କୋରିଆରେ ଏପର୍ଯ୍ୟନ୍ତ ୯,୫୮୨,୮୧୫ ଲୋକ ସଂକ୍ରମିତ ହୋଇଥିବା ବେଳେ ମହାମାରୀ ଯୋଗୁ ୧୨,୭୫୭ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଅନ୍ୟପଟେ ଚାଇନାରେ ପୁଣି ଥରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରେ ପ୍ରତିବନ୍ଧକ ଘୋଷଣା କରାଯାଇଛି।

Share