୪ ଶିଶୁଙ୍କ ସମେତ ୧୧ ଶ୍ରମିକ ବନ୍ଧକ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଦାଦନ ସମସ୍ୟା ଲାଗି ରହିଛି। ଏହି ଉପଖଣ୍ଡ ଜଗଦଲପୁର ଥାନା ଘେଁସରା ଗ୍ରାମର ୭ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରେ ଜଣେ ଇଟାଭାଟି ମାଲିକଙ୍କ ପାଖରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଶ୍ରମିକଙ୍କ ସମ୍ପର୍କୀୟ ଦିନବନ୍ଧୁ ମୁଆଁନି ସୋମବାର ଏ ନେଇ ଜିଲାପାଳଙ୍କୁ ଫେରାଦ ହୋଇ ବନ୍ଧା ପଡ଼ିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସେ ଭେଟିଥିଲେ। ପରେ ଦିନବନ୍ଧୁ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।
ପ୍ରକାଶ ଯେ, ଗତ ୪ ମାସ ତଳେ ଜଣେ ଦାଦନ ସର୍ଦ୍ଦାର ଘେଁସରା ଗ୍ରାମକୁ ଆସିଥିଲେ। ଏବଂ ମୋଟାଅଙ୍କର ପାରିଶ୍ରମିକ ଲୋଭ ଦେଖାଇ ତେଲଙ୍ଗାନାକୁ ଇଟା ଗଢ଼ିବା ପାଇଁ ଯିବାକୁ କହିଥିଲେ। ତାଙ୍କ ପ୍ରଲୋଭନରେ ପଡ଼ି ଗ୍ରାମର ଶଙ୍କର ମୁଆଁନି(୩୩), ବିଳାସିନୀ ମୁଆଁନି(୩୦), ଘନଶ୍ୟାମ ମୁଆନି(୨୮), ପିଙ୍କି ମୁଆନି(୨୩), ପରମେଶ୍ୱର ବାରିକ(୪୦), ତପସ୍ବିନୀ ବାରିକ(୩୮) ଏବଂ ପୂର୍ଣ୍ଣିମା ନନ୍ଦ(୩୦) ସେମାନଙ୍କ ୪ଶିଶୁଙ୍କୁ ଧରି ତେଲଙ୍ଗାନା ରାଜ୍ୟ ନିଜାମବାଦ ଜିଲା ଧରପଲ୍ଲୀ ଥାନା ରମାଗୁଡ଼ା ଯାଇଥିଲେ। ଶ୍ରମିକମାନେ ସେଠାକାର ଏକ ଇଟାଭାଟିରେ ନିୟୋଜିତ ହୋଇ କାମ କରିଥିଲେ। ମାତ୍ର ଇଟାଭାଟି ମାଲିକ ସେମାନଙ୍କୁ ପାରିଶ୍ରମିକ ବଦଳରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସେମାନଙ୍କୁ ନେଇଥିବା ଦାଦନ ସର୍ଦ୍ଦାର ଆଉ ଧରାଛୁଆଁ ଦେଉ ନ ଥିବା ଅଭିଯୋଗ ହୋଇଛି। ଏଭଳିସ୍ଥଳେ ବନ୍ଧା ପଡ଼ିଥିବା ଶ୍ରମିକ ଏବଂ ଶିଶୁଙ୍କୁ ସେଠାରୁ ଉଦ୍ଧାର କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଦିନବନ୍ଧୁ ନିବେଦନ କରିଛନ୍ତି।