Categories: ଖେଳ

ଦିବ୍ୟାଙ୍ଗ ଦୁଃସାହସିକ କ୍ରୀଡ଼ା ଶିବିରରେ ଓଡ଼ିଶାରୁ ୧୧

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଶ୍ଚିମବଙ୍ଗ ରାଜ୍ୟ କ।ଲିମ ପୋଙ୍ଗ ଜିଲାର ଦୁର୍ଗମ ଜଙ୍ଗଲ ଓ ପାହାଡ଼ଭରା ଦାରସିଂ ଅଞ୍ଚଳରେ ଡିସେମ୍ବର ୧୮ରୁ ୨୩ ଯାଏ ଅନୁଷ୍ଠିତ ହୋଇଛି ଜାତୀୟ ଦୁଃସାହସିକ କ୍ରୀଡ଼ା ଓ ପ୍ରକୃତିକୁ ଚିହ୍ନିବା ଶିବିର। ୭ରୁ ୨୫ ବୟସ ବର୍ଗର ଭିନ୍ନକ୍ଷମମାନଙ୍କ ନିମନ୍ତେ ଅନୁଷ୍ଠିତ ଏହି ଶିବିରରେ ଓଡ଼ିଶାରୁ ୧୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଜଣାଶୁଣା ଦୁଃସାହସିକ କ୍ରୀଡ଼ାବିତ୍‌ ତଥା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସାମିଲ ଅର୍ପିତା ମହାପାତ୍ର ଏହି ଦଳର ନେତୃତ୍ୱ ନେଇଥିଲେ। ଏହି ଦଳର ସମସ୍ତ ସଦସ୍ୟ ଓପନ୍‌ ଲର୍ନିଂ ସିଷ୍ଟମ ଅନୁଷ୍ଠାନ ସହ ଜଡ଼ିତ। ପାଞ୍ଚଦିନର ଏହି ଶିବିରରେ ଭାଗ ନେଇଥିବା ସମସ୍ତେ ପାହାଡ଼ ଉପରେ ଟେଣ୍ଟ ପକାଇ ରହିଥିଲେ। ସେଠାରେ ପରିବେଶ ପରିକ୍ରମା କରି ଜଙ୍ଗଲ ଓ ପରିବେଶ ବିଷୟରେ ଅନେକ କିଛି ଶିଖିଥିଲେ।

ଦୁଃସାହସିକ କ୍ରୀଡ଼ାଗୁଡ଼ିକ ମଧ୍ୟରେ ରିଭର୍‌ କ୍ରସିଂ, କମାଣ୍ଡୋ ୱାକ୍‌, ୱେବ୍‌ ୱାକ୍‌, ୱାଲ୍‌ କ୍ଲାଇମ୍ବିଂ, ଜଙ୍ଗଲ ଟ୍ରେକ୍‌ ଓ ନଦୀପାର୍ଶ୍ୱ ଟ୍ରେକ୍‌ କରାଯାଇଥିଲା। ହିମାଳୟାନ ନେଚର ଆଣ୍ଡ ଆଡ୍‌ଭେଞ୍ଚର ଫାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ଶିବିରରେ ମୋଟ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ଆତ୍ମନିର୍ଭର ହେବାର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

Share