ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ୧୧ କୋଟି

ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍‌ ଟିକାର ଅନୂ୍ୟନ ଗୋଟିଏ ଡୋଜ୍‌ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍‌ ନେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ୧୧ କୋଟି ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି। ସଂକ୍ରମଣ କମିଥିବାରୁ ଅଧିକାଂଶ ଦ୍ୱିତୀୟ ଡୋଜ୍‌ ନେବା କଥା ଭୁଲିଯାଇଛନ୍ତି କିମ୍ବା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଥିବାବେଳେ ଏଭଳି ସମସ୍ୟାର କାରଣ ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟ ବୁଧବାର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟଗୁଡ଼ିକୁ ୧୦୭ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଟିକା ଯୋଗାଇଦେଇଛନ୍ତି। ସେଥିରୁ ୧୨.୩୭ କୋଟିରୁ ଅଧିକ ଡୋଜ୍‌ ବ୍ୟବହାର ନ ହୋଇ ରାଜ୍ୟଗୁଡ଼ିକ ନିକଟରେ ପଡ଼ିରହିଛି। ଯଦିଓ ଗତ ସପ୍ତାହରେ ଭାରତରେ କୋଭିଡ୍‌ ଟିକାଦାନ ୧୦୦ କୋଟି ଡୋଜ୍‌ ଟପିଛି, ବହୁସଂଖ୍ୟାରେ ଲୋକ ଦ୍ୱିତୀୟ ଡୋଜ୍‌ ନେଇ ନ ଥିବାରୁ ଏହା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। କୋଓ୍ବିନ୍‌ ପ୍ଲାଟ୍‌ଫର୍ମରେ ଉପଲବ୍ଧ ତଥ୍ୟରୁ ଦ୍ୱିତୀୟ ଡୋଜ୍‌ ନେବାକୁ ଥିବା ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦୁଇଦିନ ପୂର୍ବରୁ କୋଭିଡ୍‌ ଟିକାକରଣ ସମୀକ୍ଷା ବୈଠକରେ ରାଜ୍ୟଗୁଡ଼ିକୁ କହିଥିଲେ।

Share