କଲରାପତରିଆ ବାଘ ଶିକାର କରି ୧୧ ଗିରଫ

ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର ଭୀଷ୍ମ ବିଷୋୟୀ, ପରୀ ବିଷୋୟୀ, ସୁନୀଲ ବିଷୋୟୀ,ଉତ୍ସ ଦଳବେହେରା, ପ୍ରଦୀପ ଦଳ ବେହେରା,ବାବୁ ଭୂୟାଁ, ଗରିବ ନାୟକ, ସୀମାଞ୍ଚଳ ନାୟକ, ଭଗବାନ ଦଳ ବେହେରା, ଚନ୍ଦ୍ର କେତୁ ନାୟକ, ଭିକା ନାୟକ। ଗାଁ ନିକଟ ଜଙ୍ଗଲରେ ଏକ କଲରାପତରିଆ ବାଘ ଘୂରି ବୁଲୁଥିବା ଏବଂ ଗାଁର ଜଣେ ବ୍ୟକ୍ତି କୁ ଆକ୍ରମଣ କରି ଆହତ କରିଥିବା ନେଇ ଗାଁରେ ଆଲୋଚନା ହେବା ପରେ ଅଭିଯୁକ୍ତମାନେ ଜଙ୍ଗଲକୁ ଯାଇ ମିଳିତ ଭାବେ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣର ଶିକାର ହୋଇ କଲରାପତରଆ ବାଘଟିର ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତମାନେ ବାଘର ଛାଲ ବାହାର କରିବା ସହ ଦାନ୍ତ ଓ ନଖ ଉପାଡ଼ିଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ତରଫରୁ ଗ୍ରାମରେ ଚଢ଼ାଉ କରାଯାଇ ବାଘ ଛାଲ, ମାଂସ, ନଖ, ଦାନ୍ତ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଫୁଲବାଣୀ ଡିଏଫ୍‌ଓ ପ୍ରକାଶ ପଟେଲ ପ୍ରକାଶ କରିଛନ୍ତି। ଚଢ଼ାଉ ବେଳେ ଏସିଏଫ୍‌ ମଳୟ ରଞ୍ଜନ କାଲୋ, ବଡ଼ ବାରବା ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା, ରାଇକିଆ ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ଫରେଷ୍ଟର ଅଜିତ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।