ସପ୍ତମ ଶ୍ରେଣୀ ୪ ପିଲାଙ୍କୁ ପିଟିଲେ ଦଶମ ଛାତ୍ର: ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୧୦।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ିରେ ଥିବା ମଙ୍ଗଳ ବିଭାଗର ଏକ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ଜଣ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷେ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରାବାସରୁ ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଟିମ୍‌ ମାଧ୍ୟମରେ ସେମାନଙ୍କ ଗ୍ରାମକୁ ପଠାଇ ଦେଇଛନ୍ତି। ଅନ୍ୟପକ୍ଷରେ ମାଡ଼ ଖାଇଥିବା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମାନସିକ ଅବସ୍ଥା ଭଲ ନ ଥିବାରୁ ସେମାନଙ୍କ ଅଭିଭାବକ କିଛିଦିନ ପାଇଁ ପିଲାଙ୍କୁ ଘରକୁ ନେଇଯାଇଛନ୍ତି।

ଭାଇରାଲ ହେଉଥିବା ଭିଡିଓ ଗତ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଛୁଟି ଦିନର ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଭିଡିଓରେ ସପ୍ତମ ଶ୍ରେଣୀର ୪ ଛାତ୍ରଙ୍କୁ ଦଶମ ଶ୍ରେଣୀର ୨ଜଣ ଛାତ୍ର ଅମାନୁଷିକ ଭାବେ ମାଡ଼ ମାରୁଥିବା ବେଳେ ଆଉ ୨ ଛାତ୍ର ଏହାର ମଜା ଉଠାଇବା ସହ ସହପାଠୀଙ୍କୁ ସହଯୋଗ କରୁଥିବା ଦେଖାଯାଉଛି।

ଏନେଇ ପ୍ରଧାନ ଶିକ୍ଷକ ଝୁନୁରାଣୀ ପ୍ରଧାନଙ୍କୁ ପଚାରିବାରୁ ହଷ୍ଟେଲରେ ପିଲାଙ୍କୁ ଦେବାପାଇଁ ବିସ୍କୁଟ ରଖାଯାଇଥିଲା। ସେଥିରୁ ଦଶମ ଶ୍ରେଣୀର କେତେକ ଛାତ୍ର କିଛି ବିସ୍କୁଟକୁ ଲୁଚାଇ ନେଉଥିବା କୁଆଡ଼େ ସପ୍ତମ ଶ୍ରେଣୀ ଛାତ୍ର ଦେଖିଥିଲେ। ଏ ସମ୍ପର୍କରେ କାହାରିକୁ ନ କହିବା ପାଇଁ ସେମାନଙ୍କୁ ଧମକ ଦେଇଥିଲେ। ହେଲେ ମଙ୍ଗଳବାର ପ୍ରଥମେ ଦିନରେ ହଷ୍ଟେଲ ଛାତ ଉପରେ ଓ ରାତିରେ ହଷ୍ଟେଲ ରୁମ୍‌ରେ ସପ୍ତମ ଶ୍ରେଣୀର ୪ ଛାତ୍ରଙ୍କୁ ମାଡ଼ମାରି ତାହାର ଭିଡିଓ କରାଯାଇଛି। ତେବେ ହଷ୍ଟେଲରେ ମୋବାଇଲ ଫୋନ କଟକଣା କରାଯାଇଥିବା ବେଳେ କିଭଳି ଭିଡିଓ କରାଗଲା ଏବଂ କେବଳ କିଛି ପ୍ୟାକେଟ ବିସ୍କୁଟ ପାଇଁ ମାଡ଼ ମରାଯାଇଛି ନା ଅନ୍ୟ କିଛି କାରଣ ଅଛି, ସେ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରାଙ୍କୁ ପଚାରିବାରେ ତାଙ୍କ ନିକଟରେ ଏଭଳି କୌଣସି ସୂଚନା ନ ଥିବା କହିବା ସହ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି।