କନିକା ବନାଞ୍ଚଳରେ ୧୦୭ କୁମ୍ଭୀର ବସା ଚିହ୍ନଟ

ରାଜନଗର,୩ା୭ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ପ୍ରବାହିତ ନଦୀ ନାଳ। ଏଠାରେ ବସବାସ କରୁଥିବା ମା’ ବଉଳା କୁମ୍ଭୀରଗୁଡ଼ିକର ବସାଗୁଡ଼ିକୁ ବନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। କନିକା ବନାଞ୍ଚଳରେ ୧୦୭ ବସା ଠାବ କରାଯାଇଛି ବୋଲି ବନାଞ୍ଚଳ ଅଧିକାରୀ ମାନସ କୁମାର ଦାସ ସୂଚନା ଦେଇଛନ୍ତି। କନିକା ରେଞ୍ଜର ଭିତରକନିକା, ରଗଡ଼ାପାଟିଆ, ଡାଙ୍ଗମାଳ, ଦକ୍ଷିଣ ମହିଁଷାମଡ଼ା, ନର୍ଥ ମହିଁଷାମଡ଼ା ଏବଂ କାଳିଭଞ୍ଜଡ଼ିଆରେ ଏହି ବସା ଚିହ୍ନଟ ହୋଇଛି। ବର୍ତ୍ତମାନ ବଉଳା କୁମ୍ଭୀରଗୁଡ଼ିକର ପ୍ରଜନନ ଋତୁ। ପ୍ରତିବର୍ଷ ଭଳି ଚଳିତବର୍ଷ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଚାଲିଛି। ଏହି ସମୟରେ ମା’ ବଉଳା କୁମ୍ଭୀର ନଦୀର ଜୁଆରଠାରୁ ୫ ଫୁଟ ଦୂର ନଦୀ ପଠାରେ ବସା କରିଥାନ୍ତି। ଅଣ୍ଡିରା ବଉଳା କୁମ୍ଭୀର ହେନ୍ତାଳ, ଖରଖରି ଓ ଅନ୍ୟ ପତ୍ରକୁ ନେଇ ୨ରୁ ଅଢେଇ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି। ବସା ବନ୍ଧା ସରିବା ପରେ ମା’ ବଉଳା କୁମ୍ଭୀର ସେଠାରେ ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀର ଅଣ୍ଡା ଦେବା ପରେ ଅଣ୍ଡିରା କୁମ୍ଭୀର ବସାରୁ ଅଣ୍ଡାଗୁଡ଼ିକ ଯେପରି ବାହ୍ୟ ଶତ୍ରୁ ନଷ୍ଟ ନ କରନ୍ତି ସେଥିପ୍ରତି ଜାଗ୍ରତ ରହିଥାନ୍ତି। ଏଥିସହ ଏହି ସମୟରେ କୁମ୍ଭୀରଗୁଡ଼ିକ ଅଧିକ ହିଂସ୍ର ହୋଇଥାନ୍ତି।