ପୂରଣ ହେବ ଖାଲିପଡ଼ିଥିବା ୧୦ ହଜାର ଶିକ୍ଷକ ପଦ

ଭୁବନେଶ୍ୱର ଅଫିସ,୭।୭: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକଙ୍କ ସମେତ ୬ ହଜାର ଟ୍ରେଣ୍ଡ ଗ୍ରାଜୁଏଟ ଟିଚର ନିଯୁକ୍ତି ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଏହି ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ବତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ। ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ। ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବୃୟାରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତି, ପିଇଟି ଓ ଟିଜିଟି ପଦ ଖାଲି ରହିଛି। ଯାହାକି ମୋଟ ଅନୁମୋଦିତ ଶିକ୍ଷକ ପଦବୀର ମାତ୍ର ୩୪ ପ୍ରତିଶତ ହେବ ।  ଛାତ୍ରୀଛାତ୍ରଙ୍କ ପାଠପଢା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ସିବିଟି ପରୀକ୍ଷା ଲାଗି ଯୋଜନା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଷୟିକ କମିଟି ଏଦିଗରେ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଏନେଇ ଅନୁମତି ଲୋଡ଼ାଯାଇଛି।