୭ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ସହ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଣୀପଦ୍ମାବତୀ ସାହିରୁ ବୁଧବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି ହୋଇଥିବାର ଜଣାପଡ଼ିଛି । ଘରମାଲିକ ରଞ୍ଜନ କୁମାର ରାଜ୍‌ଙ୍କ ସମେତ ତାଙ୍କ ପରିବାର ଲୋକେ କୌଣସି କାମରେ ପ୍ରାୟ ୧ଘଣ୍ଟା ପାଇଁ ଘରେ ଅନୁପସ୍ଥିତ ଥିବାର ସୁଯୋଗ ଉଣ୍ଡି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ଘରର ପ୍ରବେଶ ଦ୍ୱାରରେ ତାଲା ପଡ଼ିଥିଲେ ମଧ୍ୟ ତାଲା ଭାଙ୍ଗି ଘର ଭିତରେ ପଶି ୩ ଆଲମିରାରୁ ୭ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ସହ ନଗଦ ୧୦ ହଜାର ଟଙ୍କା ଚୋରି କରି ନେଇଯାଇଥିବାର ପ୍ରକାଶ। ତେବେ ରାଣୀପଦ୍ମାବତୀ ସାହି ଏକ ଜନଗହଳିପୂର୍ଣ୍ଣ ସାହି ତଥା ସନ୍ଧ୍ୟାରେ ଖୁବ୍‌ ଚଳପ୍ରଚଳ ଥିଲେ ମଧ୍ୟ ଦୁର୍ବୃତ୍ତ କିପରି ଚୋରି କଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଏହା ପୂର୍ବରୁ ୨୦୨୨ରେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ଚୋରି ଘଟଣା ୩୬ରୁ ଅଧିକ ମାମଲା ପାରଳାଖେମୁଣ୍ଡି ଥାନାରେ ରୁଜୁ ହୋଇଛି କିନ୍ତୁ ଅଧିକାଂଶ ଘଟଣାରେ କୌଣସି ଠୋସ୍‌ ସୁରାକ୍‌ ପାଇ ପାରୁନାହିଁ ପାରଳାଖେମୁଣ୍ଡି ପୋଲିସ। ତେବେ ଏହି ଘଟଣାରେ ପୋଲିସକୁ ସଫଳତା ମିଳୁଛି କି ନାହିଁ ଦେଖିବାକୁ ବାକି ରହିଲା।