ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ ୧୦ ହଜାର ପୁରସ୍କାର

ଛତ୍ରପୁର,୧୩।୧୧(ଡି.ଏନ୍‌.ଏ.): ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନିୟମ ଜିଲା ପରାମର୍ଶଦାତା କମିଟିର ବୈଠକ ସ୍ଥାନୀୟ ଜିଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଥିବା କ୍ଲିନିକଗୁଡ଼କର ପଞ୍ଜୀକରଣ, ନବୀକରଣ ଓ ନୂତନ ଭାବେ ଖୋଲିବା ନେଇ ଆବେଦନ କରିଥିବା କ୍ଲିନିକଗୁଡିକର ତଥ୍ୟ ଯାଞ୍ଚ କରି ସେମାନଙ୍କ ଆବେଦନର ଶୁଣାଣୀ ଦିଗରେ ପଦେକ୍ଷପ ଗ୍ରହଣ କରିବାକୁ ମତ ଉପସ୍ଥାପନ ହୋଇଛି। କ୍ଲିନିକ ଗୁଡ଼କରେ ଗର୍ଭଧାରଣ ପୂର୍ବ ଓ ପ୍ରସ୍ତୁତି ନିଦାନ କୌଶଳ ଅଧିନୀୟମ-୧୯୯୪ର ଅନୁପାଳନ ହେଉଛି ନା ନାହିଁ ତାହା କମିଟି ଦ୍ୱାରା ଯାଞ୍ଚ କାର୍ଯ୍ୟ ଅନ୍ତର ବ୍ୟବଧାନରେ ତଦାରଖ କରିବାକୁ ସମସ୍ତ ସଭ୍ୟାସଭ୍ୟଙ୍କୁ ଜିଲାପାଳ କୁଲାଙ୍ଗେ କହିଛନ୍ତି। ଏଥିସହ ‘ମୋ ଗେହ୍ଲା ଝିଅ’ର କାର୍ଯ୍ୟକ୍ରମର ସଚେତନତା ସୃଷ୍ଟି ନେଇ କୁହାଯାଇଛି। ଜିଲାରେ ଶିଶୁ ଲିଙ୍ଗ ଅନୁପାତ ସନ୍ତୁଳନ ରକ୍ଷା କରିବା ନେଇ ପଦେକ୍ଷପମାନ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଛି। ଜିଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଆଗାମୀ ୧୬ ତାରିଖ ଦିନ କୋଭିଡ ନୀୟମ ଅନୁସାରେ ଶିଶୁ ଦିବସ ପାଳନ କରାଯିବ। ଏହି ଦିନ ଗ୍ରାମର କିଶୋରୀ ବାଳିକାମାନଙ୍କ ଘରକୁ ଯାଇ ଅଭିଭାବକ ମାନଙ୍କ ମଧ୍ୟରେ ଶିଶୁ କନ୍ୟା ନିମନ୍ତେ ପ୍ରୋତ୍ସାହନ ଦିଆଯିବ । ଲିଙ୍ଗ ନିରୂପଣ ରୋକିବା ଦିଗରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । କନ୍ୟାଭୃଣ ହତ୍ୟା ରୋକିବା ସକାଶେ ପ୍ରାଥମିକ ସୂଚନା ପ୍ରଦାନ କରାଗଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଶିଶୁ ବିକାଶ ଯୋଜନା ପକ୍ଷରୁ ପ୍ରଦାନ କରାଯିବ ବୋଲି ଜିଲାପାଳ ଘୋଷଣା କରିଛନ୍ତି।