୫ ଜିଲାରୁ ଯିବେ ୧ ହଜାର ତୀର୍ଥଯାତ୍ରୀ

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ)ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନେ ତୀର୍ଥ କରିବାକୁ ଯିବେ। ଉକ୍ତ ୫ ଜିଲାର ୧ ହଜାର ବରିଷ୍ଠ ନାଗରିକ ଏଥିରେ ସାମିଲ ହେବେ। ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଶ କରିବେ। ପ୍ରଥମ ତୀର୍ଥଯାତ୍ରା ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷହେବ। ଏହି ସମୟରେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମକୁ ତୀର୍ଥଯାତ୍ରୀ ଯିବେ। ଗଞ୍ଜାମ ଜିଲାରୁ ୫୪୮ ଜଣ, ଗଜପତିରୁ ୯୦, କନ୍ଧମାଳରୁ ୧୧୪, ବୌଦ୍ଧରୁ ୬୮ ଓ ନୟାଗଡରୁ ୧୫୦ ଜଣ ଯାତ୍ରା କରିବେ। ସେହିପରି ଦ୍ୱିତୀୟ ତୀର୍ଥଯାତ୍ରା ଜାନୁଆରୀ ୧୭ରୁ ଆରମ୍ଭ ହୋଇ ୨୨ରେ ଶେଷହେବ। ଏହି ସମୟରେ ବାରଣାସୀ ଓ ପ୍ରୟାଗରାଜ ସ୍ଥାନକୁ ତୀର୍ଥଯାତ୍ରୀ ଯିବେ। ଏଥିପାଇଁ ୩୦ ଜଣ ଏସ୍କର୍ଟ ଅଫିସର ନିଯୁକ୍ତ ହୋଇଛନ୍ତି। ଏନେଇ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କିଭଳି ସୁରୁଖୁରୁରେ ଏହା ସମାପନ ହେବ ସେ ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ତୀର୍ଥଯାତ୍ରୀମାନେ ଗୋଟିଏ ଦିନ ପୂର୍ବରୁ ବ୍ରହ୍ମପୁର ଆସିବେ। ଏଥିପାଇଁ ବ୍ରହ୍ମପୁର ଷ୍ଟେସନଠାରେ ପାଣି, ପାଇଖାନା ଆଦି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ କୁହାଯାଇଛି। ମେଡିକାଲ ଟିମ ମଧ୍ୟ ନିୟୋଜିତ ରହିବେ ବୋଲି କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲାପାଳ ଦେବବ୍ରତ ସାହୁ, ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଆରଟିଓ ମାନସ ରଞ୍ଜନ ସାହୁ, ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା, ଜିଲା ସଂସ୍କୃତି ଅଧିକାରୀ, ବିଡ଼ିଓ ଓ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।