Categories: ଜାତୀୟ

ଶହେ ବର୍ଷ ପରେ ଭାରତକୁ ଫେରିବ ନିଜାମଙ୍କ ଖଣ୍ଡା

ହାଇଦ୍ରାବାଦ,୨୩ା୯: ଚତୁର୍ଦ୍ଦଶ ଶତାବ୍ଦୀରେ ହାଇଦ୍ରାବାଦ ନିଜାମ ଧରୁଥିବା ଏକ ସର୍ପାକୃତିର ପାରମ୍ପରିକ ଖଡ୍ଟ ଭାରତକୁ ଫେରିବ। ବିଂଶ ଶତାବ୍ଦୀରେ ଏହି ଖଣ୍ଡାକୁ ଜଣେ ବ୍ରିଟିଶ ଜେନେରାଲଙ୍କୁ ବିକ୍ରି କରିଦିଆଯାଇଥିଲା। ସ୍କଟଲାଣ୍ଡର ଗ୍ଲାସ୍‌ଗୋ ମ୍ୟୁଜିୟମଗୁଡ଼ିକୁ ପରିଚାଳନା କରୁଥିବା ଗ୍ଲାସ୍‌ଗୋ ଲାଇଫ୍‌ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯିବାକୁ ଥିବା ୭ ବିରଳ ସାମଗ୍ରୀ ମଧ୍ୟରୁ ନିଜାମ୍‌ଙ୍କ ଖଣ୍ଡା ଅନ୍ୟତମ। ଖଣ୍ଡା ଫେରସ୍ତ ପାଇଁ ମ୍ୟୁଜିୟମ କର୍ତ୍ତୃପକ୍ଷ ଓ ଭାରତୀୟ ଉଚ୍ଚାୟୁକ୍ତଙ୍କ ମଧ୍ୟରେ ନିକଟରେ ଚୁକ୍ତି ସ୍ବାକ୍ଷର ହୋଇଥିବା ବେଳେ ତାହା ନିର୍ଦ୍ଦିଷ୍ଟ ଭାବେ କେବେ ଫେରିବ ଜଣାପଡ଼ିନାହିଁ। ଏହି ସାମଗ୍ରୀଗୁଡ଼ିକ ଚୋରି ହୋଇଥିବା ନେଇ ପୂର୍ବରୁ ଦର୍ଶାଯାଇଥିଲା। ତେବେ ମହାରାଜା କିଷନ ପ୍ରସାଦ ଖଣ୍ଡାକୁ ବିକ୍ରି କରିଦେଇଥିବା ନେଇ ହସ୍ତାନ୍ତରଣ ସମ୍ପର୍କିତ ଦସ୍ତାବିଜରେ ଉଲ୍ଲେଖ କରାଯାଇଛି। ଗ୍ଲାସ୍‌ଗୋ ଲାଇଫ୍‌ କମ୍ୟୁନିକେଶନ୍ସ ଅଫିସର ଜୋନାଥନ୍‌ ରେଇଲି କହିଛନ୍ତି, ଏହି ଖଣ୍ଡାକୁ ୧୯୦୫ ମସିହାରେ ଜେନେରାଲ ସାର୍‌ ଆର୍କିବଲ୍ଟ ହଣ୍ଟର ବମ୍ବେ କମାଣ୍ଡର ଇନ୍‌-ଚିଫ୍‌ ଥିବା ବେଳେ ମହାରାଜା ତଥା ହାଇଦ୍ରାବାଦ ପ୍ରଧାନମନ୍ତ୍ରୀ ସାର୍‌ କିଷନ ପ୍ରସାଦ ବାହାଦୂର ୟାମିନ୍‌ଙ୍କଠାରୁ କିଣିଥିଲେ। ହଣ୍ଟରଙ୍କ ପୁତୁରା ୧୯୭୮ରେ ଏହାକୁ ଗ୍ଲାସ୍‌ଗୋ ଲାଇଫ୍‌ ମ୍ୟୁଜିୟମ୍‌କୁ ଦାନ କରିଥିଲେ।

Share