କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି, ଗୋଟିଏ ଅଟୋରିକ୍ସା ଓ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, କେସିଙ୍ଗା ଅବକାରୀ ଥାନାର ଓଆଇସି ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ ଗତକାଲି ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ ସମୟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ କେସିଙ୍ଗା ବ୍ଲକ୍ର ରଅମାଠ ଛକ ନିକଟରେ ଜାତୀୟ ରାଜପଥ-୫୯ର ପଲମ ଯିବା ରାସ୍ତାରେ ଥିବା ଟୋଲ୍ଗେଟ ନିକଟରେ ଏକ ଅଟୋରିକ୍ସାକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ ସହ ପିସ୍ତଲ, ୫ଟି ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ ମିଳିଥିଲା। ଏହାପରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗିରଫ ଦୁଇ ଅଭିଯୁକ୍ତ ହେଲେ ବିହାରର ଶ୍ରୀରାମ ଗୌଡ଼ (୩୦) ଏବଂ ବଲାଙ୍ଗିର ଜିଲା ତୁଷୁରା ଅଞ୍ଚଳର ଭୁଆଁନପଡ଼ା ଗ୍ରାମର ଭୋଳା ହରପାଳ (୩୫)। ଉଭୟଙ୍କୁ ଗିରଫ କରି ବୁଧବାର କୋର୍ଟକୁ ପଠାଯାଇଛି। ଏହି ଚଢ଼ାଉରେ କେସିଙ୍ଗା ଅବକାରୀ ଥାନାର ଓଆଇସି ମଳୟ କୁମାର ପ୍ରଧାନଙ୍କ ସହ ଅବକାରୀ କନଷ୍ଟେବଲ ସିଆରୀ ହରିଜନ, ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ ଓ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ।